ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ନବୀନ ନେଇଥିଲେ ପଦକ୍ଷେପ, ସୁଫଳ ନେଉଛନ୍ତି ରାଜ୍ୟବାସୀ

ନନ୍ଦିଘୋଷ ବ୍ୟୁରୋ: ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିଲେ ପଦକ୍ଷେପ । ଯାହାର ସୁଫଳ ନେଉଛନ୍ତି ରାଜ୍ୟବାସୀ । ୨୦୨୨ ମସିହାରୁ ବର୍ଷକୁ ଦୁଇ ଥର ଲଗାତାର ଭାବେ ଚାଲିଥିବା ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ ବା ଏମଡିଏ ଯୋଗୁଁ ଓଡ଼ିଶାର ୧୧ ଜିଲ୍ଲା ହୋଇଛି ଫାଇଲେରିଆ ମୁକ୍ତ । ଏହାକୁ କେନ୍ଦ୍ର ସରକାର ବି ଦେଇଛନ୍ତି ସ୍ବୀକୃତି । ଫାଇଲେରିଆ ସ୍ଥିତି କମୁଥିଲେ ବି ୧୨ ଜିଲ୍ଲାକୁ ନେଇ ଚିନ୍ତା ରହିଛି । ଯେଉଁଥି ପାଇଁ ଏହି ଜିଲ୍ଲା ଗୁଡ଼ିକରେ ଅଗଷ୍ଟ ୧୦ରୁ ୧୯ ଯାଏଁ କରାଯିବ ଏମଡିଏ କାର୍ଯ୍ୟକ୍ରମ ।

୨୦୦୪ରୁ ବର୍ଷକୁ ଥରେ ହେଉଥିଲା ଡ୍ରଗ୍ ଆଡମିନିଷ୍ଟ୍ରେସନ ବା ଏମଡିଏ କାର୍ଯ୍ୟକ୍ରମ । ୨୦୨୭ ସୁଦ୍ଧା ରାଜ୍ୟକୁ ଫାଇଲେରିଆ ମକ୍ତ କରିବାକୁ ରହିଥିଲା ଲକ୍ଷ୍ୟ । ଏହାକୁ ନେଇ ୨୦୨୨ରୁ ବର୍ଷକୁ ଦୁଇଥର ଏମଡିଏ କାର୍ଯ୍ୟକ୍ରମ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏହି ସ୍ବାସ୍ଥ୍ୟ ସୁରକ୍ଷା ନୀତି ଯୋଗୁଁ କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ବୌଦ୍ଧ, କେନ୍ଦ୍ରାପଡ଼ା, ଗଜପତି, ପୁରୀ, ଜଗତସିଂହପୁର ଓ ଦେବଗଡ଼ ପରି ୧୧ଟି ଜିଲ୍ଲା ହେଲେଣି ଫାଇଲେରିଆ ମୁକ୍ତ । ତେବେ ୧୨ ଜିଲ୍ଲାରେ ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି ଫାଇଲେରିଆ । ଅନୁଗୁଳ, ବାଲେଶ୍ୱର, ବରଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାର ୧୧୫ କାର୍ଯ୍ୟାନ୍ବୟନ ୟୁନିଟରେ ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏମଡିଏ କାର୍ଯ୍ୟକ୍ରମ କରାଯିବ । ଏହା ଭିତରୁ ବରଗଡ଼, ଗଞ୍ଜାମ, ସମ୍ବଲପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ପାଇଁ ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦୋଶକ ଡାକ୍ତର ନୀଳକଣ୍ଠ ମିଶ୍ର ।

ବିଶ୍ବରେ ଥିବା ଫାଇଲେରିଆ ରୋଗୀଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଭାରତର । ଦେଶରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଫାଇଲେରିଆ ରୋଗୀ ଅଛନ୍ତି । ଏହି ୫ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ଫାଇଲେରିଆ ରୋଗୀ ସଂଖ୍ୟା ଅଧିକ । ୨୦୨୨ରୁ ଯେଉଁଭଳି ଭାବେ ଏମଡିଏ କାର୍ଯ୍ୟକ୍ରମ ଚାଲିଛି, ତାହା ଓଡ଼ିଶାରୁ ଦୃତ ଗତିରେ ଫାଇଲେରିଆ ନିରାକରଣ କରୁଥିବା ନେଇ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ବି ସ୍ବୀକାର କରିଛି ।

ମଶା ଦ୍ବାରା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଫାଇଲେରିଆ ବ୍ୟାପିଥାଏ । ଆରମ୍ଭରୁ ଏହାର ଲକ୍ଷଣ ଜଣାପଡ଼ି ନଥାଏ । ଆଉ ୧୦ରୁ ୧୫ ବର୍ଷ ପରେ ଏହାର ଲକ୍ଷଣ ଦେଖା ଦେଇଥାଏ । ବିନା କୌଣସି ଲକ୍ଷଣରେ ବି ଫାଇଲେରିଆରେ କେହି ସଂକ୍ରମିତ ହୋଇପାରନ୍ତି । ତେବେ ଏମଡିଏ ଯୋଗୁଁ ୨୦୨୪ ଫେବୃଆରୀରେ ୭ ଜିଲ୍ଲାରେ ୮୯ ପ୍ରତିଶତ ଓ ଅଗଷ୍ଟରେ ୧୧ ଜିଲ୍ଲାରେ ୮୭ ପ୍ରତିଶତ ସଫଳତା ମିଳିଥିଲା ।