ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦୁପତ୍ର କର୍ମଚାରୀ ସଂଘ

ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳିଙ୍କ ସହିତ ମୁଁ ସବୁବେଳେ ଅଛି । ତୋଳାଳି ଓ କର୍ମଚାରୀଙ୍କ ସାଥିରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିଙ୍କ ହିତ ପାଇଁ ରାଜ୍ୟସରକାରଙ୍କ ଐତିହାସିକ ଘୋଷଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି କର୍ମଚାରୀ ସଂଘ । ବିଭିନ୍ନ ଦାବି ନେଇ କେନ୍ଦୁପତ୍ର ତୋଳାଳି ସଂଘ ସହ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୧୬ ତାରିଖରେ ଆଲୋଚନା କରିଥିଲେ ।

ହେଲେ ଆଲୋଚନାର ସପ୍ତାହେ ମଧ୍ୟରେ ସମସ୍ତ ଦାବି ପୂରଣ ହେବ ବୋଲି ବିଶ୍ବାସ କରିନଥିଲେ ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଏବଂ ବନ୍ଧାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ୧୫ଶହ ଟଙ୍କା ବୋନସ ପ୍ରଦାନ କରିଛନ୍ତି । ସେହିଭଳି ତୋଳାଳି ଓ ବନ୍ଧାଳି ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି ସଂଘ । ସେହିଭଳି ପଦପୁରରେ ବିଜେଡିର ବିଜୟକୁ ନେଇ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛି ।