ଆଧୁନିକ ଯୁଗରେ ବଞ୍ଚିଛି ରାଜତନ୍ତ୍ର ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: ଆଧୁନିକ ଯୁଗରେ ବଞ୍ଚିଛି ରାଜତନ୍ତ୍ର ପରମ୍ପରା । ପିଢ଼ି ପରେ ପିଢ଼ି ଅନୁଯାୟୀ ପଦ ଓ ରାଜ ଅଭିଷେକରେ କରାଯାଉଛି ଅଭିଷିକ୍ତ । ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ଲୋଇସିଂହା ଜମିଦାର ସ୍ଵର୍ଗତ ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ନାତୁଣୀ ଅର୍ଚ୍ଚନା ସିଂ ରାଏ ୧୯ ତମ ଜମିଦାର ଭାବେ ପଦବୀ ମଣ୍ଡନ କରିଛନ୍ତି ।
ରାଜରାଜୁଡ଼ା ଚାଲିଯାଇଛି ସତ। କିନ୍ତୁ ଏବେ ବି ବଞ୍ଚି ରହିଛି ରାଜତନ୍ତ୍ର ପରମ୍ପରା । ପିଢି଼ ପରେ ପିଢି଼ ଅନୁଯାୟୀ ବସୁଛନ୍ତି ଗାଦିରେ । କରାଯାଉଛି ରାଜ ଅଭିଷେକ । ବର୍ଣ୍ଣାଢ୍ଯ ବେଶରେ ରାଜ୍ଯାଭିଷେକ ପରେ ସୁସଜ୍ଜିତ ପାଲିଙ୍କିରେ ବସାଇ କରାଯାଉଛି ନଗର ପରିକ୍ରମା । ଏଭଳି କିଛି ନିଆରା ପରମ୍ପରା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ । ଲୋଇସିଂହା ଜମିଦାର ସ୍ଵର୍ଗତ ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ନାତୁଣୀ ଅର୍ଚ୍ଚନା ସିଂ ରାଏ ଜମିଦାର ମଙ୍ଗ ଧରିଛନ୍ତି । ଗଣ୍ଡ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ଜନସାଧାରଣଙ୍କ ଉପସ୍ଥିତିରେ ଅର୍ଚ୍ଚନା ଦେବୀଙ୍କୁ ଉପଢୌକନ ପ୍ରଦାନ କରାଯିବା ସହ ସିରିପା ପିନ୍ଧାଯାଇଛି ।
ଲୋଇସିଂହାରେ ପୀଢ଼ି ପରେ ପୀଢ଼ି ଜମିଦାର ଶାସନକୁ ଲୋକେ ସମ୍ମାନ ଦେଇ ଆସୁଛନ୍ତି । ଏହି କ୍ରମରେ ୧୯ ତମ ଜମିଦାର ପଦଗ୍ରହଣ ଓ ରାଜ ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଜମିଦାର ଜୟକୃଷ୍ଣ ସିଂ ରାଏଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ନାତୁଣୀ ତଥା ତାଙ୍କ ଜ୍ୟେଷ୍ଠ ପୁତ୍ର ସ୍ବର୍ଗତ ତ୍ରୟମ୍ବକ ସିଂ ରାଏଙ୍କ ଜ୍ୟେଷ୍ଠା କନ୍ୟା ଅର୍ଚ୍ଚନା ସିଂ ରାଏ ଜମିଦାର ଭାବେ ଅଭିଷିକ୍ତା ହୋଇଛନ୍ତି । ପ୍ରଥମ ମହିଳା ଭାବେ ସେ ଏହି ପଦବୀ ମଣ୍ଡନ କରିଛନ୍ତି । ନୂତନ ଭାବେ ଦାୟିତ୍ଵ ନେବା ପରେ ସେ ତାଙ୍କ ଅଞ୍ଚଳର ଲୋକଙ୍କ ସୁଖ ଓ ଦୁଃଖରେ ଭାଗୀଦାର ହେବେ ବୋଲି କହିଛନ୍ତି ।