ଟୀକାକରଣରେ ଓଡ଼ିଶା ଆଗରେ, ରାଜ୍ୟରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର

1 min read

ଭୁବନେଶ୍ବର: ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପଏଣ୍ଟ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଆସୁଥିବା ଇନଫାଣ୍ଟ ମୋର୍ଟାଲିଟି ରେଟ୍ ରିପୋର୍ଟରେ ଏହି ସଂଖ୍ୟା ଆହୁରି କମିଥିବା ନେଇ ଆଶା କରାଯାଇଛି। ଉଭୟ ଗର୍ଭବତୀ ମାଆ ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଯେଉଁଥିରେ ଟୀକାକରଣ ବଡ଼ ଭୂମିକା ନେଇଛି ।

ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଚାଲିଛନ୍ତ ରାଜ୍ୟ ସରକାର । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାର ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ । ଏହାକୁ ମିଶନ ମୋଡରେ କାର୍ଯ୍ୟକ୍ଷମ କରାଯାଉଥିବାରୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ପାଞ୍ଚ ବର୍ଷରୁ କମ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟୀକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ଏସଆରଏସ୍ ତଥ୍ୟ ଅନୁସାରେ ୫ ବର୍ଷରୁ କମ ଶିଶୁ ମୃତ୍ୟୁହାର ୨୦୦୮ରୁ ୨୦୨୦ ମଧ୍ୟରେ ୫୦ ପଏଣ୍ଟ ହ୍ରାସ ପାଇଛି ।  ୨୦୦୮ରେ ଏହା ୮୯ ଥିବାବେଳେ ୨୦୨୦ରେ ୩୯ ପଏଣ୍ଟକୁ ଖସିଛି । ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ସହ ଠିକ୍ ସମୟରେ ଟୀକାକରଣ କରାଯାଉଛି । ମମତା ଯୋଜନାରେ ଗର୍ଭବତୀ ମାଆମାନେ ଏବେଠାରୁ ୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ପାଇବେ । ରାଜ୍ୟରେ ପ୍ରତି ଶିଶୁର ଶତ ପ୍ରତିଶତ ଟୀକାକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ସରକାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ-୫ ଅନୁଯାୟୀ ଓଡିଶାର ସମ୍ପୂର୍ଣ ଟୀକାକରଣ ହାର ୯୦.୫ ପ୍ରତିଶତ ଅଟେ । ଯାହା ଦେଶର ସମସ୍ତ ରାଜ୍ୟ ମଧ୍ୟରେ ସର୍ବାଧିକ ।

ମମତା ପରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କ ଯତ୍ନ ନେବାରେ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଶିଶୁଙ୍କୁ ଅଣ୍ଡା ଦିଆଯାଉଛି । ଘର ଘର ବୁଲି ଅଙ୍ଗନଓ୍ବାଡି, ଆଶାକର୍ମୀମାନେ ଟୀକାକରଣ ଯୋଜନାକୁ ସଫଳ କରୁଛନ୍ତି । ଠିକ୍ ସମୟରେ ଦିଆଯାଉଛି ପୋଲିଓ ଟୀକା । ଚଳିତବର୍ଷ ମଧ୍ୟ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ଇନଫାଣ୍ଟ ମୋର୍ଟାଲିଟି ରେଟ୍ ରିପୋର୍ଟ । ଏଥିରେ ୩୯ ପଏଣ୍ଟରୁ ମଧ୍ୟ ଆହୁରି ତଳକୁ ଶିଶୁ ମୃତ୍ୟୁହାର ଖସିଥିବା ନେଇ ଆକଳନ କରାଯାଇଛି ।

ମାନବ ସମ୍ବଳ ସହିତ ଓଡିଶାର କୋଲଡ ଚେନ ଓ ଭ୍ୟାକ୍ସିନ୍ ମେନେଜମେଣ୍ଟ ବ୍ୟବସ୍ଥା ବହୁତ ସୁଦୃଢ । ଭ୍ୟାକ୍ସିନ୍ ଓ ଲଜିଷ୍ଟିକ୍ ଉପଲବ୍ଧ ହେବା ସ୍ଥିତି ତଥା କୋଲଡ ଚେନ ଉପକରଣର ତାପମାତ୍ରା ଇଭିନ୍ ମାଧ୍ୟମରେ ନିରୀକ୍ଷଣ କରାଯାଉଛି । ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟ ତଥା ଜିଲ୍ଲା କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ନିରବଚ୍ଛିନ୍ନ ଭାବେ ଉପଯୁକ୍ତ ତାପମାତ୍ରାରେ ଯୋଗାଣ ନିଶ୍ଚିତ କରାଯାଇଛି ।