spot_img

Latest Posts

ରାଜ୍ୟରେ କେବେ ସୁଧୁରିବ ଧାନ କିଣା ସମସ୍ୟା ? ଗଞ୍ଜାମରେ ଏଯାଏଁ ଖୋଲିନି ମଣ୍ଡି…

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ କେବେ ସୁଧୁରିବ ଧାନ କିଣା ସମସ୍ୟା ? ଗଞ୍ଜାମରେ ଏଯାଏଁ ଖୋଲିନି ମଣ୍ଡି । ଚାଷୀଙ୍କୁ ମିଳିନି ଟୋକନ । ଫଳରେ ଅମଳ ଧାନକୁ କିଏ ବିଲ ମାଳରେ, କିଏ ରାସ୍ତା କଡରେ ତ ଆଉ କିଏ ପିଣ୍ଡାରେ ପାଲ ଘୋଡାଇ ସାଇତି ରଖିଛନ୍ତି । ଅନ୍ୟପଟେ ମଣ୍ଡି ଖୋଲିବା ବିଳମ୍ବ ଦଲାଲଙ୍କୁ ବେଶ ସୁହାଉଛି । ଶାଗ ମାଛ ଦରରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି ।

ସୁଧୁରୁନି ମଣ୍ଡି ସମସ୍ୟା । ଖରିଫ ଧାନ କିଣା ଆରମ୍ଭରୁ ଝୁଣ୍ଟିଲାନି ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ ପାଚିଲା ଧାନକୁ କାଟି ଅମଳ କଲେଣି ଚାଷୀ । ବସ୍ତା ବି ବାନ୍ଧି ସାରିଲେଣି । ହେଲେ ଏଯାଏଁ ମଣ୍ଡି ଖୋଲିନି । ଫଳରେ କିଏ ବିଲ ମାଳରେ, କିଏ ରାସ୍ତା କଡରେ ତ ଆଉ କିଏ ପିଣ୍ଢାରେ ପାଲ ଘୋଡାଇ ଧାନ ବସ୍ତାକୁ ସାଇତି କରି ରଖିଛନ୍ତି । ଶୀତ କାକରରେ ଧାନ ଭିଜିବା ସହ ମୂଷା ମଧ୍ୟ ଧାନ ଖାଇଯିବାର ଭୟ ରହୁଛି । ଏପରି ସ୍ଥିତିରେ କେବେ ଖୋଲିବ ମଣ୍ଡି ? କେବେ ବିକିବେ ଧାନ ? ତାକୁ ନେଇ ଚିନ୍ତାରେ ଚାଷୀ ।

ମଣ୍ଡି ଖୋଲିବା ସଂପର୍କରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ପାଚିଲା ଧାନକୁ ଚାଷୀ ଜମି ମୁଣ୍ଡରେ ଗଦା କରି ରଖିଛନ୍ତି । ହାତୀ ଓ ବାରହାଙ୍କ ଭୟରେ କିଛି ଚାଷୀ ଧାନ ଦଲାଲଙ୍କ ହାତରେ ଟେକି ଦେଲେଣି । ମଣ୍ଡି ଖୋଲିବା ବିଳମ୍ବର ଫାଇଦା ଉଠାଇ ଗାଁ ଗାଁରେ ବୁଲିଲେଣି ଦଲାଲ ଓ ଆନ୍ଧ୍ର ବ୍ୟବସାୟୀ । ତେଣୁ ଯଥାଶୀଘ୍ର ଜିଲ୍ଲାରେ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଖୁବଶୀଘ୍ର ମଣ୍ଡି ଖୋଲାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଧରାକୋଟ ବିଡିଓ ।

Latest Posts

Don't Miss