ଆହୁରି ସହଜ ହେବ ମାଟ୍ରିକ ପରୀକ୍ଷା; ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୁନା ପ୍ରଶ୍ନପତ୍ର

ଭୁବନେଶ୍ୱର :  ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପଠାଗଲା ନମୁନା ପ୍ରଶ୍ନପତ୍ର । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ଏହି ପ୍ରଶ୍ନପତ୍ର ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦେଶକ ସୁଶାନ୍ତ କୁମାର ଦାଶ ଏନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ବର୍ତ୍ତମାନ ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ନମୁନା ପ୍ରଶ୍ନପତ୍ର ତିଆରି ହୋଇଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ଗୋଟିଏ ଲେଖାଏଁ ସେଟ୍‌ ନମୁନା ପ୍ରଶ୍ନପତ୍ର ପଠାଯାଇଛି । ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗର ପ୍ରଶ୍ନପତ୍ର ପଡ଼ିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ଏହି ପ୍ରଶ୍ନପତ୍ର ସହାୟକ ହେବ ।

ଡିଇଓ ପ୍ରଶ୍ନପତ୍ର ଗୁଡ଼ିକୁ ବିଦ୍ୟାଳୟ ସ୍ତରରେ କିଭଳି ବିତରଣ କରିବେ, ସେ ଦିଗରେ ପଦକ୍ଷେପ ନେବେ । ପ୍ରଧାନଶିକ୍ଷକଙ୍କୁ ପ୍ରଶ୍ନପତ୍ର ପଠାଇବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଡିଇଓ ବ୍ୟବସ୍ଥା କରିବେ । ଜିଲ୍ଲାସ୍ତରର ଅଭିଜ୍ଞ ଶିକ୍ଷକଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରି ଡିଜିଟାଲ କୋଶ୍ଚିନ୍‌ ବ୍ୟାଙ୍କ ପାଇଁ ନିର୍ଦ୍ଦେଶାଳୟକୁ ପଠାଇବାକୁ ମଧ୍ୟ କୁହାଯାଇଛି ।