ସହାୟ ହେଲା ଓଡ଼ିଶା ମୋ ପରିବାର, ଫେରି ଆସିଲା ଶ୍ରମିକଙ୍କ ମୃତଦେହ

ଗଞ୍ଜାମ: ସହାୟ ହେଲା ଓଡ଼ିଶା ମୋ ପରିବାର । ଶମିକଙ୍କ ମୃତଦେହକୁ ଜନ୍ମମାଟିକୁ ଫେରାଇଆଣିଲା ଓଡ଼ିଶା ମୋ ପରିବାର । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡ଼ଗଡ଼ ଗାଁର ଶଙ୍କର ନାୟକ ଓ ସୁଶାନ୍ତ ନାୟକ କେରଳରେ ରହି କାମ କରୁଥିଲେ । ଗତ ୨୭ ତାରିଖରେ ନିର୍ମାଣାଧୀନ ଛାତରୁ ପଡ଼ି ଉଭୟଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀ ତରଫରୁ ମୃତଦେହକୁ ଓଡ଼ିଶାକୁ ଅଣାଯାଇଥିବାବେଳେ ବିମାନବନ୍ଦରରୁ ଜନ୍ମମାଟିକୁ ନେବାକୁ ପରିବାର ଅକ୍ଷମତା ପ୍ରକାଶ କରିଥିଲେ ।

ପରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କୁ ଏନେଇ ଜଣାଇବା ପରେ ସେ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକଙ୍କୁ ଯୋଗାଯୋଗ କରିଥିଲେ । ଏନେଇ ଓଡ଼ିଶା ମୋ ପରିବାରକୁ ଜଣାଇବା ପରେ ତୁରନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ମୃତଦେହ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା ଓଡ଼ିଶା ମୋ ପରିବାର । ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ମୃତକଙ୍କ ପରିବାର ।