ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ
1 min read
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ତେଜିବାରେ ଲାଗିଛି NAC ନିଆଁ । ଯୋଗ୍ୟତା ଥାଇ ମଧ୍ଯ ଏନଏସି ଘୋଷଣା କରାଯାଉ ନଥିବାରୁ ପ୍ରତିବାଦ ଜୋର ହେବାରେ ଲାଗିଛି । ଗଞ୍ଜାମ ଶେରଗଡ ସମେତ ଖଇରା ଓ କଣ୍ଟାମାଳକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଶେରଗଡ ଓ ଖଇରାରେ ବନ୍ଦ ପାଳନ କରାଯାଇଛି । ଶୀଘ୍ର NAC ଘୋଷଣା କରାନଗଲେ ଆଗକୁ ଆହୁରି ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଦିଆଯାଇଛି ଚେତାବନୀ ।
NAC ଘୋଷଣାରେ ଅବହେଳା । ଯୋଗ୍ୟତା ଥାଇ ଦିଆଯାଉନି ମାନ୍ୟତା । ପ୍ରତିବାଦରେ ତେଜୁଛି ଅସନ୍ତୋଷର ବହ୍ନି । ଗଡୁନି ଚକ ଅଖ । ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମେତ ସ୍କୁଲ କଲେଜ ବନ୍ଦ । ଜୋରଦାର ପିକେଟିଂ । ଏ ହେଉଛି ଗଞ୍ଜାମ ଶେରଗଡର ଦୃଶ୍ୟ । ପୂର୍ବ ସରକାରରେ ଶେରଗଡ଼କୁ NAC ଘୋଷଣା କରିଥିବାବେଳେ ନୂଆ ସରକାର ଶେରଗଡକୁ ଏହି ତାଲିକାରୁ ବାଦ ଦେଇଛନ୍ତି । ଶେରଗଡ଼ ପଞ୍ଚାୟତକୁ NAC ଘୋଷଣା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସେହିପରି ବାଲେଶ୍ଵର ଖଇରାକୁ ଏନଏସି ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେଡି । ଆଗାମୀ ଦିନରେ ସରକାର ଦାବି ପୂରଣ ନକଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
ସେପଟେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ଏନଏସି ଘୋଷଣା ଦାବି ଜୋର ଧରିଛି । କଣ୍ଟାମାଳରେ ଦଶ ହଜାରରୁ ଅଧିକ ଲୋକ ଥିବା ବେଳେ ସମସ୍ତ ସରକାରୀ ଦପ୍ତର ରହିଛି । ଭୌଗୋଳିକ ଦୃଷ୍ଟିକୋଣରୁ ଏହା ସହରାଞ୍ଚଳ ମାନ୍ଯତା ପାଇବା କଥା । ହେଲେ ରାଜ୍ୟ ସରକାର ନିକଟରେ ଯେଉଁ ୨୮ ଗୋଟି ନୂତନ ଏନଏସି ଘୋଷଣା କରିଛନ୍ତି ସେଥିରେ କଣ୍ଟାମାଳ ନାହିଁ l ପୂର୍ବ ସରକାରରେ କଣ୍ଟାମାଳକୁ ଏନଏସି ଘୋଷଣା ନେଇ ପ୍ରସ୍ତାବ ରହିଥିଲା । ହେଲେ ବର୍ତ୍ତମାନ ସରକାର ଏହାକୁ କାର୍ଯ୍ଯକାରୀ କରି ନଥିବାରୁ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସରକାର ଏଥିପ୍ରତି ଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ଉପୁଜିବା ଆଶଙ୍କା ଦେଖାଦେଇଛି ।