spot_img

Latest Posts

ଓଡ଼ିଶାକୁ ଚାରି ଆଡୁ ଘେରିଲେଣି ପଡ଼ୋଶୀ ରାଜ୍ୟ !

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାକୁ ଚାରି ଆଡୁ ଘେରିଲେଣି ପଡ଼ୋଶୀ ରାଜ୍ୟ। ସୀମାନ୍ତ ଅଞ୍ଚଳକୁ ଦଖଲ କରି ନେବାକୁ ଷଡ଼ଯନ୍ତ୍ର। କୋଟିଆକୁ ନିଜ କବଜାକୁ ନେବାକୁ କେବେଠୁ ଉଦ୍ୟମ ଚଳାଇଛି ଆନ୍ଧ୍ର। ଏବେ ପଶ୍ଚିମବଙ୍ଗ ବି ଓଡ଼ିଶାରେ ପଶି ରାସ୍ତାଘାଟ ନିର୍ମାଣ କଲାଣି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାକୁ ଚାରିପଟୁ ପଡୋଶୀମାନେ ଦଖଲ କରିବାକୁ ଲାଗି ପଡ଼ିଲେଣି। କିନ୍ତୁ ଓଡ଼ିଶା ସରକାର ନିରବ। ଏହାକୁ ନେଇ ଉତ୍କଳ ସମ୍ମିଳନୀ ସମେତ ବିଭିନ୍ନ ଜନ ସଂଗଠନ ବର୍ଷିଛନ୍ତି। ସରକାର ତୁରନ୍ତ ନିଜ ରାଜ୍ୟର ସୀମା ରକ୍ଷା ପାଇଁ କାର୍ଯ୍ୟ କରନ୍ତୁ ବୋଲି ଦାବି କରିଛନ୍ତି ସେମାନେ।

ଓଡ଼ିଶାର କେଉଁ ଭାଗକୁ ଆନ୍ଧ୍ର ନେବାକୁ ଲାଗିଲାଣି ଓ କେଉଁ ଭାଗକୁ ପଶ୍ଚିମବଙ୍ଗ ଜବରଦସ୍ତ ଧସେଇ ପଶିଲାଣି। ରାଜ୍ୟରେ ବିଜେପି ସରକାର ଆସବା ପରେ ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଏଭଳି ଅରାଜକତା ଦେଖିବାକୁ ମିଳିଛି। କୋଟିଆ ଦଖଲରେ ଆନ୍ଧ୍ର ଲାଗି ପଡିଥିବା ବେଳେ ଏବେ ପଶ୍ଚିମବଙ୍ଗ ମଧ୍ୟ ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଓଡିଶାକୁ ପଶି ମନଇଚ୍ଛା ନିର୍ମାଣ କରିଚାଲିଛି। ଓଡ଼ିଶାର ସୀମାକୁ ପଡୋଶୀ ରାଜ୍ୟଗୁଡିକ ଦଖଲ କରିବାକୁ ଜୋରଦାର ଉଦ୍ୟମ କରିବା ଓ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ବର୍ଷିଛି ଉତ୍କଳ ସମ୍ମିଳନୀ।କେତେବେଳେ ଆନ୍ଧ୍ର ତ କେତେବେଳେ ପଶ୍ଚିମବଙ୍ଗ। ଓଡିଶା ସୀମାରେ ବିଭିନ୍ନ ପଡୋଶୀ ରାଜ୍ୟ ଦାଦାଗିରି ଜାରି ରଖିବା ଓ ଓଡିଶା ଅଞ୍ଚଳକୁ ଦଖଲ କରିବା ବିରୋଧରେ ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଦାବି କରିଛି ସମ୍ମିଳନୀ। ଏ ନେଇ ବାରମ୍ବାର ପ୍ରସ୍ତାବ ଦିଆଯାଉଛି। ରାଜସ୍ୱ ବିଭାଗରେ ଯେମିତି ଦୈବୀ ଦୁର୍ବିପାକ ପ୍ରଶମନ ବିଭାଗ ଖୋଲିଲା ସେମିତି ଢଙ୍ଗରେ ସ୍ୱତନ୍ତ୍ର ସୀମା ସମସ୍ୟା ସମାଧାନ ସେଲ ଖୋଲିବାକୁ ଦାବି ହୋଇଛି। ସେଥିପାଇଁ ସରକାର ସ୍ୱତନ୍ତ୍ର ବଜେଟ ଓ ମାନବସମ୍ବଳ ଦିଅନ୍ତୁ ବୋଲି ଦାବି କରିଛି ଉତ୍କଳ ସମ୍ମିଳନୀ। ସୀମାନ୍ତ ଅଞ୍ଚଳରେ ସ୍ଥାୟୀ ପାଚେରୀ କରିବାକୁ ଦାବି। ସରକାର ଏ ସମ୍ପର୍କରେ ସିରିୟସ ହେବା ଉଚିତ। ନଚେତ ବିଭିନ୍ନ ଆଡେ ଏଭଳି ରୋଗ ବାହାରିବ। ପଡୋଶୀ ରାଜ୍ୟର ସରକାର ଓ ସେଠାକାର ଲୋକେ ମଧ୍ୟ ଓଡିଶାକୁ ମାଡି ବସିବାକୁ ବସିଛନ୍ତି। ପଡୋଶୀ ରାଜ୍ୟର ଏହି ଜବରଦଖଲ ଧାରା ଭାଙ୍ଗିବାକୁ ଦାବି। ସୀମାନ୍ତ ଲୋକଙ୍କୁ ସୁବିଧା ଦିଆଯାଉ। ଜିଲ୍ଲା ଓ ବ୍ଲକ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉ ନାହାଁନ୍ତି। ତୁରନ୍ତ ସୀମାନ୍ତ ବିକାଶ ପରିଷଦ ଗଢାଯାଉ। ଏ ସମ୍ପର୍କରେ ସରକାରଙ୍କୁ ଲିଖିତ ଆକାରରେ ଦିଆଯାଇଛି। ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି କିନ୍ତୁ ଏ ଯାଏ କିଛି ହେଉ ନାହିଁ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଉତ୍କଳ ସମ୍ମିଳନୀର ପ୍ରତିନିଧି।

ସେପଟେ ବିଭିନ୍ନ ଜନସଂଗଠନ ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏଭଳି ଏକ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ଏ ପ୍ରସଙ୍ଗରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ଓଡିଶା ବିକାଶ ପରିଷଦ। ରାଜ୍ୟର ବିଜେପି ସରକାର ବିକାଶର ସଂଜ୍ଞା କହିଲେ ସୁଭଦ୍ରା ଯୋଜନାରେ ୫ ହଜାର ଦେଇଦେଲେ ହେଲା ବୋଲି ଭାବୁଛନ୍ତି। ଓଡ଼ିଶାର ଭାଷା ଓ ମାଟିର ସୁରକ୍ଷା ହେଉଛି ପ୍ରକୃତ ବିକାଶ। କିନ୍ତୁ ବିଧାନସଭାରେ ବିଜେପିର ବରିଷ୍ଠ ବିଧାୟକ ଓଡ଼ିଶାର ବିଭାଜନକାରି ମନ୍ତବ୍ୟ ଦେଉଛନ୍ତି ଓ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି। ଏହାଠୁ ଦୁଃଖଦ କଥା କିଛି ନାହିଁ। ପଡୋଶୀ ରାଜ୍ୟ ଓଡିଶା ସୀମାକୁ ନିଜ ରାଜ୍ୟରେ ମିଶାଇବା କୁ ସବୁ ଉଦ୍ୟମ କରୁଛନ୍ତି କିନ୍ତୁ ନିଜ ଓଡ଼ିଶାର ଅଞ୍ଚଳକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର। ଓଡିଶା ବିକାଶ ପରିଷଦର ଏକ ଟିମ ଓଡ଼ିଶାର ବିଭିନ୍ନ ସୀମା ଅଞ୍ଚଳ ଗସ୍ତ କରିବା ସହ ଓଡିଶା ସରକାର ତୁରନ୍ତ ଏ ଉପରେ ପଦକ୍ଷେପ ନେଵାକୁ ଦାବି ହୋଇଛି। ବିଜେପିର ଭୁଲ ନୀତି ପାଇଁ ଓଡିଶା ଲୋକେ ଏବେ ହାହାକାରରେ। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଓଡିଶାର ଅଞ୍ଚଳକୁ ନେଇ ଯାଉଛନ୍ତି। ଓଡିଶାକୁ ବିଖଣ୍ଡିତ ହେବାରୁ କେବେ ବଞ୍ଚାଇବେ ରାଜ୍ୟ ବିଜେପି ସରକାର ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ।ତାହେଲେ ଏବେ ଓଡ଼ିଶାବାସୀଙ୍କୁ ବି ଅନ୍ୟ ରାଜ୍ୟକୁ ଦେଇଦିଅନ୍ତୁ ବୋଲି ସରକାରଙ୍କୁ କଡା ଭାଷାରେ କହିଲା ମଞ୍ଚ। ଓଡ଼ିଶାବାସୀ ଏବେ ଓଡ଼ିଶାରେ ସୁରକ୍ଷିତ ନାହାନ୍ତି। ଯେଉଁ ଛଳନା କରି ମିଛ କହି ବିଜେପି ସରକାର ଭୋଟ ନେଇଛନ୍ତି ତାର ଜବାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦିଆଯିବ ବୋଲି କୁହାଯାଇଛି।

ବିଜେପି ମହାନଦୀ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ବିରୋଧୀ ଦଳରେ ଥିବାବେଳେ। ଏବେ ମହାନଦୀ ଶୁଖିଲା ପଡିଛି ସରକାର କଣ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ। ପାଣି, ଜଙ୍ଗଲ , ପାହାଡ଼ ଓ ରାଜ୍ୟର ଜମି ସବୁ ଦେଇଦେଲେ। ଏବେ କଣ ଓଡିଶାକୁ ପଡ଼ୋଶୀଙ୍କୁ ଦେଇଦେବେ କି ବୋଲି ପ୍ରମୁଖ ଜନ ସଂଗଠନ ପ୍ରଶ୍ନ କରିଛନ୍ତି।

 

Latest Posts

Don't Miss