ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର: କମ୍ପୁଛି ଗାଁ, ସରଗରମ ହେଉଛି ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ପ୍ରକ୍ରିୟା । ଆଜି ତୃତୀୟ ଦିନରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ । ଗତକାଲି ଦ୍ୱିତୀୟ ଦିନରେ ରାଜ୍ୟରେ ମୋଟ ୧୩ ହଜାର ୩୫୬ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ପରେ ନାମାଙ୍କନ ଦାଖଲ କରିବାକୁ ହାତରେ ଆଉ ଦୁଇ ଦିନ ସମୟ । ଏଣୁ ଆଜି ଅଧିକ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାର ସମ୍ଭାବନା ରହିଛି । ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ପାଇଁ ପ୍ରାର୍ଥୀ କଟକଣାରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ।

ଅନ୍ୟପକ୍ଷରେ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ଲଢ଼ା ଯାଉଥିବାରୁ ଏହା ଉପରେ ସବୁ ଦଳଙ୍କ ନଜର ରହିଛି । ଉପଯୁକ୍ତ ପ୍ରାର୍ଥୀ ଦେବାକୁ ସବୁ ଦଳ କସରତ୍ କରୁଛନ୍ତି । ଏସବୁ ଭିତରେ ବିଜେଡି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିରୋଧୀ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ କେବଳ ଜଣେ ପ୍ରସ୍ତାବକଙ୍କ ସହ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇ ନାମାଙ୍କନ ଦାଖଲ କରୁଛନ୍ତି । ନାମାଙ୍କନ ଦାଖଲ ସମୟରେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରୁଛନ୍ତି ପ୍ରାର୍ଥୀ ।

Leave a Reply