ଓଡ଼ିଶାର ଗର୍ବ ଓଡ଼ିଶା ପରିବାର: ଅସହାୟ ପ୍ରବାସୀ ଓଡ଼ିଆଙ୍କ ପାଇଁ ଦେବଦୂତ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆଙ୍କ ଖୁସି ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଶା ପରିବାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପରିକଳ୍ପନା ଏବେ ରାଜ୍ୟ ବାହାରେ ଓ ବିଦେଶ ମାଟିରେ ଥିବା ଓଡ଼ିଆଙ୍କୁ ନିଜ ମାଟି ସହ ଯୋଡୁଛି । ଯାହା କେବେ ହୋଇ ନଥିଲା ତାହା ଏବେ ସତ ହୋଇଛି । ଦଙ୍ଗା ପ୍ରପୀଡ଼ିତ ରାଜ୍ୟରୁ ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରିବା ହେଉ କି ଓଡ଼ିଶାର କଳା ସଂସ୍କୃତି ପାଇଁ ଆମେରିକା ଓ ଇଉରୋପରେ ଆର୍ଥିକ ସହାୟତା ପ୍ରଦାନ । ସବୁଥିରେ ପ୍ରବାସୀ ଓଡ଼ିଆଙ୍କୁ ଖୁସିରେ ରଖିବା ଓଡ଼ିଶା ପରିବାରର ଆଭିମୁଖ୍ୟ ।

ମଣିପୁରରେ ଦଙ୍ଗାରେ ଓଡ଼ିଆ ପିଲା ସଙ୍କଟରେ । ତ୍ରିପୁରାରେ ବାହୁଡ଼ା ଯାତ୍ରାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ରୁ ୭ ଜଣଙ୍କ ମୃତ୍ୟୁ । ହାଇଦ୍ରାବାଦରେ ନିର୍ମାଣଧୀନ କୋଠା ଭୁଶୁଡ଼ି ଯିବାରୁ ମାଲକାନଗିରିର ଶ୍ରମିକଙ୍କ ମୃତ୍ୟୁ । ରାଜ୍ୟ ବାହାରେ ହେଉ କି ବିଦେଶ ମାଟି, ସବୁଠି ପହଞ୍ଚି ପ୍ରବାସୀ ଓଡ଼ିଆଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଓଡ଼ିଶା ପରିବାର ।

ବିଦେଶରେ ଥିବା ଲକ୍ଷ ଲକ୍ଷ ଓଡ଼ିଆ କିପରି ନିଜ ମାଟି ସହ ଯୋଡ଼ି ହେବେ ? ଅସୁବିଧାରେ କିମ୍ବା ଉତ୍ପୀଡନର ଶିକାର ହେଲେ କେମିତି ହେବେ ସୁରକ୍ଷିତ ଉଦ୍ଧାର ? ବିଦେଶ ମାଟିରେ ଥିବା ସବୁ ଓଡ଼ିଆ ମୋ ପରିବାରର ସଦସ୍ୟ । ସମସ୍ତେ କିପରି ଖୁସିରେ ରହିବେ ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ପରିକଳ୍ପନାରେ ଗଠନ ହୋଇ କାର୍ଯ୍ୟକ୍ଷମ ହୋଇଛି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ । ବର୍ଷେ ହୋଇନି ଓଡ଼ିଶା ପରିବାରର ଜୟ ଗାଥା ଏବେ ପ୍ରବାସୀ ଓଡ଼ିଆଙ୍କ ମୁହଁରେ ଫୁଟାଇଛି ହସ ।

ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ । ସେ ଓଡ଼ିଆ ହେଉ କି ତେଲୁଗୁ କିମ୍ବା ଅନ୍ୟ ଭାଷାଭାଷୀ ଅଞ୍ଚଳର । ସେଥିରେ କିଛି ଫରକ ପଡିନି । ସମସ୍ତେ ମଣିଷ,

ଧନ ଜୀବନ ସୁରକ୍ଷା ଦେବା ଆମର ଦାୟିତ୍ବ । ତ୍ରିପୁରା ବାହୁଡ଼ା ରଥଯାତ୍ରା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତପ୍ରାପ୍ତ ଲୋକ କେହି ଓଡ଼ିଆ ନ ହୋଇ ସେମାନଙ୍କ ଚିକିତ୍ସା ପାଇଁ ଅର୍ଥ ଦେବାକୁ ଉଦ୍ୟମ କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ସୋନପୁରରୁ ପିଣ୍ଡଦାନ ପାଇଁ ବିହାର ଗୟା ଯାଇଥିବା ୧୭ ଜଣ ଓଡ଼ିଆଙ୍କ ଗାଡ଼ି ସେଠାରେ ଦୁର୍ଘଟଣାଗ୍ରସ୍ତ ହେଲା । ସମସ୍ତେ ଗୁରୁତର ଆହତ ହେଲେ । ବିହାରରେ ଏକ ଘରୋଇ ହସ୍ପିଟାଲରେ ସେମାନଙ୍କର ଅସ୍ତ୍ରୋପଚାର କରାଯାଇ ହାଜିପୁର ରେଳ ଷ୍ଟେଷନରୁ ସେମାନଙ୍କୁ ସୁରକ୍ଷିତ ଅଣାଯାଇଛି ।

ଖାଲି ଅସୁବିଧାରେ ଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ଓଡ଼ିଶା ପରିବାରର ଲକ୍ଷ୍ୟ ନୁହେଁ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା, ଖାଦ୍ୟ କିପରି ବିଦେଶରେ ଆଦୃତି ପାଇବ, ନେଇ ବି ଉଦ୍ୟମ କରୁଛି । ଆମେରିକା ଓ ଇଉରୋପରେ ମନ୍ଦିର ନିର୍ମାଣ ପାଇଁ ବି ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ନିକଟରେ ଆବୁଧାବିରେ ୧୦ ଜଣ କଳାକାରଙ୍କୁ ନେଇ ଓଡ଼ିଶାର କଳା ସଂସ୍କୃତି ପରିବେଷଣ କରିଛନ୍ତି ।

ପୂର୍ବରୁ ଓଡ଼ିଆମାନଙ୍କୁ ଭିସା ପ୍ରଦାନ ପାଇଁ ସ୍ବାସ୍ଥ୍ୟ ପରୀକ୍ଷା ସୁବିଧା ଭୁବନେଶ୍ବରରେ ଥିଲା । କିନ୍ତୁ ଏହାକୁ କେନ୍ଦ୍ର ସରକାର କୋଲକାତା ସ୍ଥାନାନ୍ତର କରି ଦେଇଛନ୍ତି । ଓଡ଼ିଶା ପୂର୍ବଭାରତର ଗେଟ୍ ଓ୍ବେ ହେଲାଣି । ଶିଳ୍ପ ହବ୍, କ୍ରୀଡ଼ା ହବ୍ ଓ ଶିକ୍ଷା ହବ୍ ମାନ୍ୟତା ପାଇଲାଣି । ଭିସା ପାଇଁ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ରକୁ ପୁଣି ଥରେ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଦାବି ରଖିଛନ୍ତି । ବୁଦ୍ଧିଜୀବୀଙ୍କ ମତରେ ଓଡ଼ିଶା ପରିବାରକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୋଟିଏ ନିର୍ଦ୍ଦେଶାଳୟରେ ସୀମିତ ନ ରଖି ସ୍ବତନ୍ତ୍ର ବିଭାଗ କରାଗଲେ ବେଶୀ ଲାଭ ହୁଅନ୍ତା ।