ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପୋଲିସ ପାଇଁ ସ୍ବତନ୍ତ୍ର ଦିନ । ଆଜି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏନେଇ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୋଲିସ କର୍ମଚାରୀଙ୍କ ମନୋବଳ ବଢାଇଥିଲେ। ଆଜିର ଦିନ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୋଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୋଲିସ ବିଭାଗ। ଏହି ଅବସରରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢି ଶୁଣାଇଥିଲେ ଏସ୍ପି। ଏହି ଅବସରରେ ନୁଆ କରି ପୋଲିସ ବିଭାଗରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଜର କର୍ତ୍ତବ୍ୟ ସାଧନ ଉପରେ ପ୍ରେରଣା ଦେବା ସହ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନୀତ ଓ ପୁରସ୍କୃତ କରିଛନ୍ତି ଆରକ୍ଷୀ ଅଧିକ୍ଷକ।

ରାୟଗଡା ଭାମିନୀ ଦ୍ବିତୀୟ ଆଇଆରବିଏନ୍ କ୍ୟାମ୍ପର ପଡିଆ ପରିସରରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ଯବାନ ମାନେ ପରେଡ଼ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ଦୁର୍ଗପତୀ ବ୍ରଜ ମୋହନ ନାୟକ ଯୋଗଦେଇଥିଲେ। ସଂଯୋଜକ ଉପ ଦୁର୍ଗପତୀ ବିଧୁ ଭୁଷଣ ଉଦଗାତା ପରିଚାଳନା କରିଥିଲେ। ପରେଡରେ ୪ ଟି ପ୍ଲାଟୁନ୍ ଯବାନ ଅଂଶଗ୍ରହଣ କରିଥିଲେ। ବ୍ୟାଣ୍ଡ ପରିବେଷଣର ତାଳେତାଳେ ଏକ ଚିତାକର୍ଷକ ପରେଡ୍ ପ୍ରଦର୍ଶନ ହୋଇଥିଲା।