ଓଡ଼ିଶା ପୋଲିସର ପ୍ରଶଂସନୀୟ ଉଦ୍ୟମ; ପ୍ଲାଜମା ଦାନ କଲେଣି ୭୦୨ ପୋଲିସ କର୍ମଚାରୀ

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ରାଜ୍ୟର କୋଭିଡ୍ ଯୋଦ୍ଧାମାନେ ଦିନତମାମ୍ ପ୍ରଚେଷ୍ଟା କରୁଛନ୍ତି । ଏଯାବତ୍ ଓଡ଼ିଶା ପୋଲିସର ୭୦୨ ଜଣ କରୋନା ସଂକ୍ରମିତ ପ୍ଲାଜମା ଦାନ କରି ସାରିଲେଣି । ଏପର୍ଯ୍ୟନ୍ତ ଟିକା ବାହାରି ନଥିବା ହେତୁ ପ୍ଲାଜମା ଥେରାପୀକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନ ପାଇଁ ସାଧାରଣରେ ଅପିଲ୍ ମଧ୍ୟ କରିଛନ୍ତି । ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ପୋଲିସ କର୍ମଚାରୀମାନେ ସଂକ୍ରମଣକୁ ହରାଇବାରେ ପ୍ଲାଜମା ଦାନ କରି ନିଜ ନିଜ ଦାୟିତ୍ୱବୋଧକୁ ପ୍ରମାଣ କରିଛନ୍ତି ।

ଏହି କୋଭିଡ୍ ଯୋଦ୍ଧାମାନେ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ, ଆଇଜିଏଚ୍, ଭିମସାର, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ୍ ଓ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି । ସେହିଭଳି ଏମାନଙ୍କ ଅବଦାନକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ବୋଲି କୁହାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ପୋଲିସ କର୍ମଚାରୀମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ତେବେ ରାଜ୍ୟରେ ବିଭିନ୍ନ ଜିଲ୍ଲାର ପୋଲିସ କର୍ମଚାରୀମାନେ କୋଭିଡରୁ ସୁସ୍ଥ ହେବା ପରେ ସ୍ୱତପ୍ରୋତ ଭାବେ ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରିଥିବା କର୍ମଚାରୀଙ୍କର ପୋଲିସ ଜିଲ୍ଲା ଓ ପ୍ରତିଷ୍ଠାନର ନାମ ପୋଲିସ ପ୍ରଶାସନ ତରଫରୁ ଉଲ୍ଲେଖ କରାଯାଇଛି । ସେହିଭଳି ଆଗାମୀ ଦିନରେ ପ୍ଲାଜମା ଦାନ କରିଥିବା ପୋଲିସ କର୍ମଚାରୀଙ୍କ ସଂଖ୍ୟା ୮ ଶହରେ ପହଞ୍ଚିବ ବୋଲି ପ୍ରଶାସନ ଆଶାବାଦୀ ଅଛି ।

Leave a Reply