ବିରଳ ବଦନାମୀ ମୁଣ୍ଡାଇଛି ଓଡ଼ିଶା, ରକ୍ତ ଶିକୁଳିରେ ଦେଶରେ ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପାଇଁ ଆଉ ଏକ ଅଲୋଡ଼ା ରେକର୍ଡ । ସିକଲ ସେଲ ବା ରକ୍ତ ଶିକୁଳି ରୋଗରେ ଜାତୀୟ ସ୍ତରରେ ସବୁ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଅଧିକାର କରିଛି ପ୍ରଥମ ସ୍ଥାନ । ଗତ ବର୍ଷେ ମଧ୍ୟରେ ବହୁ ସଂଖ୍ୟାରେ ବଢିଛି ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଏସବୁ ରୋଗ ପାଇଁ ଆବଶ୍ୟକ ରକ୍ତ ସଂଗ୍ରହ ମଧ୍ୟ କମୁଛି । ଯାହାଫଳରେ ସଂକଟରେ ସିକଲ ସେଲ ଓ ଥାଲାସେମିଆ ରୋଗୀ । ରୋଗ ନିରାକରଣ ବ୍ୟବସ୍ଥାରେ ଗ୍ରହଣ କରିବାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ ।

ରକ୍ତ ଶିକୁଳିରେ ଛନ୍ଦି ହୋଇଛି ଓଡ଼ିଶା । ସିକଲ ସେଲ ରୋଗରେ ଦେଶରେ ଏବେ ନମ୍ବର । ଏଭଳି ବିରଳ ବଦନାମୀ ମୁଣ୍ଡାଇଛି ରାଜ୍ୟ । ଦିନକୁ ଦିନ ରାଜ୍ୟରେ ସିକଲ ସେଲରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ମୋଟ ୪୫ ଲକ୍ଷ ୪୬ ହଜାର ୩୦୯ ଜଣଙ୍କ ସ୍କ୍ରିନିଂ ହୋଇଥିବା ବେଳେ ସେଥିମଧ୍ୟରୁ ୯୬ ହଜାର ୪୮୪ ଜଣ ସିକଲ ସେଲ ରୋଗୀ ବୋଲି ଚିହ୍ନଟ ହୋଇଛନ୍ତି । ଜାତୀୟ ସ୍ତରର ଏହି ତାଲିକାରେ ଓଡିଶା ପ୍ରଥମରେ ରହିଥିବା ବେଳେ ମଧ୍ୟପ୍ରଦେଶ ଦ୍ବିତୀୟରେ, ଗୁଜରାଟ ତୃତୀୟରେ ଛତିଶଗଡ଼ ଓ ମହାରାଷ୍ଟ୍ର ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି । ବିଶେଷ କରି ଏହି ରୋଗୀ ପଶ୍ଚିମ ଓଡ଼ିଶାର ଅଧିକ ରହିଛନ୍ତି । ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କଳାହାଣ୍ଡିରେ ସିକଲ ସେଲ ଚିନ୍ତା ବଢାଇଛି । ସୁବର୍ଣ୍ଣପୁର ଓ ବଲାଙ୍ଗୀରରେ ମାମଲା ସବୁଠୁ ଅଧିକ ରହିଥିବା କୁହାଯାଇଛି । ଏହି ରୋଗ ପାଇଁ ଜେନେଟିକ କାର୍ଡ ହୋଇଛି । ଜେନେଟିକ କାଉନସେଲିଂ ପାଇଁ ଏଏନଏମ,  ଆଶା ଓ ଅଙ୍ଗନବାଡି କର୍ମୀ ଅଛନ୍ତି, କିନ୍ତୁ ବ୍ୟାପକ ପ୍ରଚାର ହୋଇପାରୁନି । କମ୍ୟୁନିଟି ସ୍କ୍ରିନିଂ ହେବା ପରେ ଅଧିକ ରୋଗୀ ବାହାରୁଛନ୍ତି । ସେପଟେ ରୋଗ ବଢ଼ୁଥିବା ବେଳେ ରକ୍ତ ସଂଗ୍ରହ କମୁଛି ବୋଲି କୁହାଯାଇଛି । ସେଥିପାଇଁ ଏନଜିଓମାନଙ୍କୁ ଇନସେନଟିଭ ଦେବାକୁ ଯୋଜନା ହେଉଛି ବୋଲି କୁହାଯାଇଛି ।

ଏହି ରୋଗ ସାଧାରଣ ଭାବରେ ପଛୁଆ ବର୍ଗ ଏବଂ ଆଦିବାସୀ ଜନଜାତିମାନଙ୍କ ମଧ୍ୟରେ ଦେଖାଯାଇଥାଏ । ପ୍ରାଥମିକ ଅବସ୍ଥାରୁ ଚିହ୍ନଟ କରାଗଲେ ରୋଗର ସୁପରିଚାଳନା କରାଯାଇପାରିବ । କିନ୍ତୁ ଏବେ ସଚେତନତାର ବ୍ୟାପକ ଅଭାବ ରୋଗ ବୃଦ୍ଧିର କାରଣ ବୋଲି କୁହାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ କରିଥାନ୍ତି । ରକ୍ତ ସମ୍ପର୍କରେ ବିବାହ ଯୋଗୁଁ ସିକଲ ସେଲ ବ୍ୟାପିବା ଦେଖାଯାଉଛି ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ସେପଟେ ସିକଲ ସେଲ ଓ ଥାଲାସେମିଆ ରୋଗ ପାଇଁ ଆବଶ୍ୟକ ରକ୍ତ ମଧ୍ୟ ରାଜ୍ୟରେ କମ ରହିଛି । ଯାହାକୁ ନେଇ ଅସନ୍ତୋଷ ବଢିଛି ।

ରାଜ୍ୟକୁ ୨୦୩୫ ମସିହା ସୁଦ୍ଧା ସିକଲ ସେଲ ମୁକ୍ତ କରିବା ପାଇଁ କାଗଜପତ୍ରରେ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଏହି ରୋଗୀଙ୍କ ସଂଖ୍ୟା ବଢି ଚାଲିବା ସ୍ଥିତିକୁ ଜଟିଳ କରିଛି ।