ନନ୍ଦିଘୋଷ ବ୍ୟୁରୋ: ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । କମ୍ ଉପସ୍ଥାନ ଯୋଗୁଁ ବନ୍ଦ ହୋଇଗଲା ସ୍କୁଲ। ଫଳରେ କିଏ ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପାମା ସଙ୍ଗେ ଡଙ୍ଗରକାମ କରିବାକୁ ଯାଉଛି। କିଛି ପିଲା ସ୍କୁଲ ବାହାରେ ବସି ପାଠ ପଢ଼ୁଛନ୍ତି । ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡିଥିବାବେଳେ କୋମଳମତି ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ?
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। କମ ଉପସ୍ଥାନ ଦର୍ଶାଇ ବନ୍ଦ କରିଦେଲେ ସ୍କୁଲ। ଏବେ ସ୍କୁଲ ବାହାରେ ଗଛମୂଳେ ଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତଗଢ଼ା। କିଏ ପାଠ ଛାଡ଼ି ଗାଈ ଚରାଇବାକୁ ଯାଉଛି ତ ଆଉ କିଏ ବାପା ମା ସହିତ ଡଙ୍ଗର କାମ କରିବାକୁ ଯାଉଛି । ଆଉ କିଛି ପିଲା ଖରା ବର୍ଷା ଶୀତକୁ ଖାତିର ନ କରି ସ୍କୁଲ ବାହାରେ ବହିବସ୍ତାନୀ ଧରି ପଢ଼ୁଛନ୍ତି। ଏ ଦୃଶ୍ୟ ରାୟଗଡା ସଦର ବ୍ଲକ ସିରିକା ଡୃଗୁମ୍ ପ୍ରାଥମିକ ବିଦ୍ୟାଳୟର । ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ ଦୁର୍ଗମ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କମ୍ ଉପସ୍ଥାନ ଯୋଗୁଁ ଗତ ୪ ମାସ ହେବ ସ୍କୁଲରେ ଝୁଲୁଛି ତାଲା । ଫଳରେ ଗାଁର କିଛି ପଢୁଆ ଯୁବକ ଯୁବତୀ ପାଳି କରି ପିଲାଙ୍କୁ ଏଭଳି ପଢ଼ାଉଛନ୍ତି । ତେବେ ସ୍କୁଲରେ ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ଥିଲେ ସୁଦ୍ଧା କାହିଁକି ସ୍କୁଲ ବନ୍ଦ କରିଦିଆଯାଇଛି ତାକୁ ନେଇ ଉଠିଛି ନାନା ପ୍ରଶ୍ନ?
ଗତ ତିନି ବର୍ଷ ତଳେ ମଧ୍ୟ କମ୍ ଉପସ୍ଥାନ ଥିବା ଦର୍ଶାଇ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ବାଦବିବାଦ ପରେ ପୁନର୍ବାର ସ୍କୁଲ ଆରମ୍ଭ ହୋଇଥିଲା। ତେବେ ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଏପରି ସ୍ଥିତି ଦେଖାଦେଇଛି । ଗତ ୨୦୧୮ରେ କମ୍ ଉପସ୍ଥାନ ଓ ଅନ୍ୟାନ୍ୟ କାରଣ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରି ପଡୋଶୀ ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିଲା । ଫଳରେ ଦୁର୍ଗମ ଅଞ୍ଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ପାଠ ଛାଡିଥିଲେ । ଚଳିତ ବର୍ଷ ଜିଲ୍ଲାର ୧୨ଟି ସ୍କୁଲକୁ କମ୍ ଉପସ୍ଥାନ ଥିବା ଦର୍ଶାଇ ବନ୍ଦ କରାଯାଇଛି । ତେବେ ଯେଉଁ ସ୍କୁଲ ଗୁଡିକ ଖୋଲିବା ଯୋଗ୍ୟ ଜିଲ୍ଲାସ୍ତରରୁ ରିପୋର୍ଟ ଆସିଲେ ରାଜ୍ୟସ୍ତରୀୟ କମିଟି ଆବଶ୍ୟକ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

