spot_img

Latest Posts

‘କୋଇଲି’ରେ ଏଣ୍ଟ୍ରି, ‘ରଙ୍ଗ ନଂ’ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ପ୍ରିୟ ଗଉରାକୁ ହରାଇ ମର୍ମାହତ ସାରା ଓଡ଼ିଶା। ସ୍ତବ୍ଧ, ନିର୍ବାକ ସିନେ ଜଗତ । ଆଉ ଶୁଣିବାକୁ ମିଳିବନି ତାଙ୍କ ଦମ୍ଭିଲା ସ୍ୱର । ଓଡିଆ ଆଲବମ ହେଉ ବା ଫିଲ୍ମ । କମେଡିଆନ ହେଉ କିମ୍ବା ଖଳନାୟକ ଭୂମିକା । ନିଜର ଦମଦାର ଆକ୍ଟିଂ ପାଇଁ ପିଣ୍ଟୁ ନନ୍ଦ ଦର୍ଶକଙ୍କ ହୃଦୟରେ ରହିଥିଲେ ।

ଓଡ଼ିଆ ଆଲବମ ‘ଏ ଗଉରା ଆଜିକାଲି କ’ଣ ଖାଉଚୁ’ ଓ ରାଣ୍ଡି ପୁଅ ଅନନ୍ତାରୁ ଲୋକଲୋଚନକୁ ଆସିଥିଲେ ପିଂଟୁ । ରାତାରାତି ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ ।

କାହାଣୀ ସାରା ହସାଇ ହସାଇ ଶେଷରେ କନ୍ଦାଇ ଥିଲା ଅନନ୍ତା । ପ୍ରତ୍ୟେକ ମଣିଷକୁ ଶିଖାଇ ଦେଇଯାଉଥିଲା ମାଟି ପ୍ରେମର ଗାଥା, ଗାଁର ମମତା । ଆଉ ସେହି ଅନନ୍ତା ଆଜି ବି କନ୍ଦାଇ ଦେଲା । ସବୁଦିନ ପାଇଁ ଚାଲିଗଲା..

କାହାଣୀ ସାରା ଗୋଟିଏ ଚରିତ୍ର ହସାଉଥାଏ। ସେ ତା ରାଇଜରେ । ଯାହା ବୁଝୁଛି ଠିକ୍, ଯାହା କରୁଛି ଠିକ୍ । ନା ମାଆର କଷ୍ଟ ବୁଝିଥିଲା, ନା ନିଜର ଦୟିତ୍ୱକୁ । ତଥାପି ସେ ବିଧବା ମାଆର ଆଖିର ତାରା ଥିଲା ପୁଅ ଅନନ୍ତା । ନାନା କଥା, ନାନା ଅଭିଯୋଗ ସତ୍ତ୍ୱେ ପୁଅ ପ୍ରତି ମାଆର ମମତା କଣ ତାହା କାହାଣୀର ଶ୍ରେଷ୍ଠ ନିଦର୍ଶନ।

୫୦ରୁ ଅଧିକ ଫିଲ୍ମରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଛି । ୧୯୯୬ରେ ଚଳଚିତ୍ର କୋଇଲି ଜରିଆରେ ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, କଥା ଦେଲି ମଥା ଛୁଇଁ, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ଲଭ୍‌ ଏକ୍ସପ୍ରେସ୍‌, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହରି, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା, ଧର୍ମ, ବ୍ୟାଚଲର, ଡାହା ବାଳୁଙ୍ଗା, ଦୋସ୍ତୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକାଧିକ ଓଡ଼ିଆ ଧାରାବାହିକରେ ମଧ୍ୟ ସେ ଅଭିନୟ ଛାଡିଯାଇଛନ୍ତି ଅଭିନୟର ଛାପ। ଏ ଗଉରା କ’ଣ ଖାଉଚୁ  ଆଲବମ୍ ପିଣ୍ଟୁଙ୍କୁ ଘରେଘରେ ପରିଚିତ କରିଥିଲା ।

ଖାଲି ଏତିକି ନୁହେଁ  ରଙ୍ଗ ନଂ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏହି ଭର୍ସାଟାଇଲ୍ ଆକ୍ଟରଙ୍କ ଯକୃତ ନଷ୍ଟ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମାର୍ଚ୍ଚ ୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ସମସ୍ତେ ଭଗବାନଙ୍‌କୁ ଡାକୁଥିଲେ ସେ ପୁଣି ଫେରି ଆସନ୍ତୁ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଚିରନିଦ୍ରାରେ ଶୋଇପଡିଲେ ଏହି ଭର୍ସାଟାଇଲ୍ ଆକ୍ଟର । ତାଙ୍କ ଅବର୍ତ୍ତମାନରେ ଜଣେ ଚର୍ଚ୍ଚିତ ତାରକାଙ୍କୁ ହରାଇ ମ୍ରିୟମାଣ ସାରା ଓଡିଶା ।

ଖାଲି ପିଣ୍ଟୁ ନନ୍ଦ ନୁହଁନ୍ତି । ଓଡିଆ ସିନେ ଜଗତର ଅନେକ କଳାକାରଙ୍କ ବିୟୋଗରେ ସିନେ ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଯାହାକୁ ପୂରଣ କରିବା ଏତେଟା ସହଜ ନୁହେଁ ।

 

Latest Posts

Don't Miss