ଗୁଜରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡ଼ିଶା ଶିକ୍ଷକ ଗିରଫ

ମାଲକାନଗିରି :  ଗୁଜରାଟ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଓଡ଼ିଶା ଲିଙ୍କ । କନିଷ୍ଠ କିରାଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ ମାଲକାନଗିରିରୁ ଜଣେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । କର୍ତ୍ତନପାଲୀ ସରକାରୀ ହାଇସ୍କୁଲ ଶିକ୍ଷକ ସରୋଜ ମାଲୁଙ୍କୁ ପୋଲିସ ଗିରଫ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ଗୁଜରାଟ ପଞ୍ଚାୟତିରାଜ ବିଭାଗରେ କିରାଣି ପଦବୀ ପୂରଣ ପାଇଁ ବିଜ୍ଞପ୍ତୀ ବାହାରିବା ସହ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ୯ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ । ମାତ୍ର ପରୀକ୍ଷା ପୂର୍ବରୁ ହିଁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏପରିକି ପ୍ରଶ୍ନ ସହ ଉତ୍ତର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ମାଲକାନଗିରିର ଶିକ୍ଷକ ସରୋଜ ମାଲୁ ପ୍ରସ୍ତୁତ କରି ଗୁଜରାଟ ପଠାଇଥିଲେ ବୋଲି ଜଣାପଡ଼ିଛି ।

ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ଶେଷ ମୁହୁର୍ତ୍ତରେ ପରୀକ୍ଷା ବାତିଲ କରାଯାଇଥିଲା । ଗୁଜରାଟ ପୋଲିସ ଘଟଣାର ତଦନ୍ତ କରି ୧୫ ଜଣଙ୍କୁ ଗିରଫ କରିବା ପରେ ସରୋଜଙ୍କ ସମ୍ପର୍କରେ ସୂଚନା ପାଇଥିଲା । ସରୋଜଙ୍କୁ ଗୁଜରାଟ ନେଇ ଅଧିକ ପଚରାଉଚରା କରିବା ସହ କୋର୍ଟ ଚାଲାଣ କରାଯିବ ବୋଲି ଗୁଜରାଟ ପୋଲିସ ଟିମ କହିଛି ।