ଜଳୁଛି ଅଧିକାଂଶ ଜିଲ୍ଲା, ଦିନ ସାଢେ ୧୧ ସୁଦ୍ଧା ୩୯ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ହୋଇଛି ତାତିର ଅଘୋଷିତ କର୍ଫ୍ୟୁ । ଜଳୁଛି ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । ଦିନ ୧୧ଟା ୩୦ସୁଦ୍ଧା ୩୯ଡିଗ୍ରୀ ଉପରେ ୩ ସହରର ତାପମାତ୍ରା । ୩୯.୨ ଡିଗ୍ରୀ ତାପମାତ୍ରା ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ସେହିପରି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ଡିଗ୍ରୀ , ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସମ୍ବଲପୁରରେ ୩୮.୨, କେନ୍ଦୁଝରରେ ୩୭.୬, ହୀରାକୁଦରେ ୩୭.୪, ଗୋପାଳପୁରରେ ୩୪.୬, ପୁରୀରେ ୩୩.୪ ଓ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୮ଟି ଜିଲ୍ଲା ଏବଂ ୧୫ ତାରିଖରେ ୯ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ ।

ସେହିଭଳି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ତାତି ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।