ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା, ଓଡ଼ିଆ ପର୍ଯ୍ୟଟକ ନିଖୋଜ

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣାରେ ଓଡିଆ ନିଖୋଜ । ତିସ୍ତା ନଦୀକୁ ଖସି ପଡ଼ିଥିଲା ପର୍ଯ୍ୟଟକଙ୍କ ଟୁରିଷ୍ଟ ଗାଡ଼ି। ହଜାରେ ଫୁଟ ତଳକୁ ଗାଡ଼ି ଖସି ପଡିବାରୁ ଜଣକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ ଜଣ ନିଖୋଜ ରହିଛନ୍ତି । ଏହି ଗାଡ଼ିରେ ଯାଜପୁର ବ୍ୟାସନଗର ଅଞ୍ଚଳର କିଛି ଲୋକେ ଥିବା ଜଣାପଡିଛି । ଯାଜପୁର ବ୍ୟାସନଗର ଅଞ୍ଚଳର ଚାରୋଟି ପରିବାରର ୧୧ ଜଣ ବୁଲିବାକୁ ଯାଇଥିଲେ। ଏହି ୧୧ ଜଣଙ୍କ ଭିତରୁ ଦୁର୍ଘଟଣାଗ୍ରସ୍ତ ଗାଡିରେ ୬ ଜଣ ଥିଲେ। ଏହି ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ବାକି ୪ ଜଣ ନିଖୋଜ ଅଛନ୍ତି।
ନିଖୋଜ ବ୍ୟକ୍ତିମାନେ ହେଲେ ଇତିଶ୍ରୀ ଜେନା, ଇତିଶ୍ରୀଙ୍କ ବଡ଼ ପୁଅ ସାହିଲ ଜେନା, ଇତିଶ୍ରୀଙ୍କ ସାନ ଭାଇ ଅଜିତ୍ ନାୟକ, ଇତିଶ୍ରୀଙ୍କ ଭାଉଜ ସୁନିତା ନାୟକ। ଗୁରୁତର ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ୨ ଜଣ ହେଉଛନ୍ତି ସୁନୀତାଙ୍କ ପୁଅ ସ୍ବୟଂ ନାୟକ ଓ ଇତିଶ୍ରୀଙ୍କ ସାନ ପୁଅ ସାଇରାଜ୍ ଜେନା। ଗତ କାଲି ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ଖରାପ ପାଗ ଏବଂ ରାସ୍ତା ଖରାପ ଥିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ନଦୀରେ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖପ୍ରକାଶ କରିଛନ୍ତି। ସେ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଯାତ୍ରୀ ମାନଙ୍କ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥାରେ ସୁପରିଚାଳନା ପାଇଁ ଓଡ଼ିଶାରୁ ଯିବ ଏକ ସ୍ବତନ୍ତ୍ର ଟିମ୍। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।