ବାହାନଗା ଟ୍ରେନ୍ ଟ୍ରାଜେଡିର ଆସିଲା ତଦନ୍ତ ରିପୋର୍ଟ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବିଭାଗର ଭୁଲ ଯୋଗୁଁ ଦୁର୍ଘଟଣା

ବାହାନଗା: ସିଗନାଲ ଓ ଟେଲିକମ୍ୟୁନିକେସନ୍ ବିଭାଗର ଏକାଧିକ ତ୍ରୁଟି ଯୋଗୁଁ ବାହାନଗା ବଜାର ଷ୍ଟେସନରେ ଘଟିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ କରାଯିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ଫଳରେ କରମଣ୍ଡଳ ଟ୍ରେନ୍ ଭୁଲ ଲାଇନରେ ମାଡ଼ି ଯାଇ ଲୁପ୍ ଲାଇନରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ି ସହିତ ଧକ୍କା ଖାଇଥିଲା । ବାହାନଗା ବଜାର ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରି ରେଳ ସୁରକ୍ଷା କମିଶନର ରେଳ ବୋର୍ଡକୁ ଦେଇଥିବା ରିପୋର୍ଟରେ ଏଭଳି ଉଲ୍ଲେଖ କରିଛନ୍ତି । ରେଳ ସୁରକ୍ଷା କମିଶନର ଦୁର୍ଘଟଣାର କାରଣ ଉଲ୍ଲେଖ କରିବା ସହିତ କିଛି ପ୍ରତିକାର ପାଇଁ ସୁପାରିଶ କରିଛନ୍ତି । ତଦନ୍ତ ରିପୋର୍ଟରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦିଗ ଉପରେ ଅଙ୍ଗୁଳି ଉଠାଇଛନ୍ତି । ସୁରକ୍ଷିତ ଟ୍ରେନ୍ ଚଳାଚଳ ପାଇଁ ତ୍ରୁଟିବିହୀନ ସିଗନାଲ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ । କିନ୍ତୁ ବାହାନଗା ବଜାର ଷ୍ଟେସନ୍ ପାଇଁ ଅନୁମୋଦିତ ସର୍କିଟ ଡାୟାଗ୍ରାମ୍ ଯୋଗାଣ ହୋଇ ନ ଥିଲା । ଇଏଲ୍ବି ପରିବର୍ତ୍ତନରେ ଏହି ସର୍କିଟ ଡାୟାଗ୍ରାମ୍ ଜରୁରୀ । ତେବେ ଏହି ନିୟମକୁ ଅଣଦେଖା କରାଯାଇଥିଲା । ସେଠାରେ ଥିବା ଲେବୁଲ କ୍ରସିଂ ଗେଟ୍ ସହିତ ଉକ୍ତ ସିଗନାଲ ବ୍ୟବସ୍ଥା ଜଡିତ । ଏହାର ମରାମତି ସମୟରେ ହିଁ ସବୁ ଗଡ଼ବଡ଼ ହୋଇଥିଲା। ସେହିପରି କ୍ଷେତ୍ର ପରିଦର୍ଶନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ମଧ୍ୟ ଏଥିପାଇଁ ଦାୟୀ ।

ତଦନ୍ତ ରିପୋର୍ଟରେ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଚାଳକ ଓ ସହଚାଳକ ଦେଇଥିବା ବୟାନକୁ ଉଲ୍ଲେଖ କରାଯାଇଛି । କେବଳ ସିଗାନଲ ବ୍ୟବସ୍ଥାରେ ଏପଟ ସେପଟ କରିବା ଏବଂ କାର୍ଯ୍ୟ ଠିକ୍ ଭାବେ ହୋଇନଥିବାରୁ ଏହି ଦୁର୍ଘଟଣା ଘଟିଲା । ଏଥିରେ ଟ୍ରାକରେ ତ୍ରୁଟି ନ ଥିଲା କିମ୍ବା ଦୁର୍ଘଟଣାରେ ତାହା କିଛି ଭୂମିକା ନାହିଁ ବୋଲି କୁହାଯାଇଛି । କ୍ରସଓଭରରେ ବାରମ୍ବାର ଅସ୍ୱାଭାବିକ ସ୍ଥିତି ସମ୍ପର୍କରେ ବାହାନଗା ବଜାର ଷ୍ଟେସନରେ ଷ୍ଟେସନ୍ ମାଷ୍ଟର ସେଠାକାର ସିଗନାଲ ଓ ଟେଲିକମ୍ୟୁନିକେସନ୍ କର୍ମଚାରୀଙ୍କୁ ଅବଗତ କରି ନ ଥିଲେ । ଏହା କରିଥିଲେ ହୁଏତ ତାହାର ମରାମତି ହୋଇପାରିଥାନ୍ତା ଏବଂ ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା । ତ୍ରୁଟିପୂର୍ଣ୍ଣ ସିଗନାଲରୁ କରମଣ୍ଡଳ ଏକ୍ସପ୍ରେସ୍ ଲୁପ୍ ଲାଇନରେ ମାଡ଼ି ଯାଇ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା । ଫଳରେ ବିପରିତ ଦିଗରୁ ଆସୁଥିବା ବେଙ୍ଗାଲୁରୁ ଏକ୍ସପ୍ରେସର ପଛ ଦୁଇ ବଗିକୁ ମଧ୍ୟ ଧକ୍କା ଦେଇଥିଲା । ବ୍ୟବହୃତ ସିଗନାଲିଂ ସର୍କିଟରେ ପରିବର୍ତ୍ତନ କରିବା ପୂର୍ବରୁ ସର୍କିଟ୍ଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଅନୁମୋଦିତ ସର୍କିଟ୍ ଯୋଗାଣ ହେବା ଉଚିତ । ଏହି ସମୟରେ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ଏହା ପରେ ସିଗନାଲ ଠିକ୍ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଆଉ ଏକ ବିଶେଷଜ୍ଞ ଦଳଙ୍କୁ ଟିମକୁ ଦିଆଯିବା ଆବଶ୍ୟକ ।