କଲବଲ କରୁଛି ଖରା, ତାତିରୁ ମିଳୁନି ନିସ୍ତାର

ଭୁବନେଶ୍ବର: ତାତିରୁ ନାହିଁ ନିସ୍ତାର । ସୋମବାର ଦିନ ସାଢେ ଦୁଇଟା ସୁଦ୍ଧା କେନ୍ଦୁଝର ହୋଇଛି ସବୁଠୁ ଉତ୍ତପ୍ତ । କେନ୍ଦୁଝରରେ ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଝାରସୁଗୁଡାରେ ୪୨.୮, ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, ରାଉରକେଲାରେ ୪୧.୮, ବାଲେଶ୍ୱରରେ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ରହିଛି ୪୧.୩ । ସେହିପରି ଚାନ୍ଦବାଲିରେ ୪୦.୭, ପୁରୀରେ ୩୪.୬, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ୩୩.୧ ଡିଗ୍ରୀ ତାତି ରହିଛି ।  ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେବ ଜାରି କରାଯାଇଛି ।

୧୦ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ,ନୟାଗଡ, ଖୋର୍ଦ୍ଧା, କଟକକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଏହି ଜିଲ୍ଲା ଗୁଡ଼ିକରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ସେହିପରି ବଲାଙ୍ଗୀର, ସୋନପୁର, ଗଞ୍ଜାମ, ମାଲକାନଗିରି, ଭଦ୍ରକ, ଜୟପୁର, ଦେବଗଡ, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ଗଜପତି, ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଲଗାତାର ୧୪ ଦିନ ଧରି ହିଟୱେବ ଜାରି ରହିଛି । ଦିନ ୧୧ଟାରୁ ୩ଟା ମଧ୍ଯରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ  ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସାମୁଦ୍ରିକ ଝଡ଼ର ପ୍ରଭାବ ରହିଲେବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ । ୫ ତାରିଖ ବେଳକୁ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗର ପବନ ବହିଲା ପରେ ସାମାନ୍ୟ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।