କାଲିଠୁ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ

1 min read

ଭୁବନେଶ୍ବର: କମିଲା ତାତି । କାଲିଠୁ ରାଜ୍ୟରେ ପ୍ରଚଣ୍ଡ ବଜ୍ରପାତ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାକୁ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଭୁବନେଶ୍ବର ଓ କଟକରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲ ଠାରୁ ଓଡ଼ିଶା ମଧ୍ୟ ଦେଇ ଉତ୍ତର ଆନ୍ଧ୍ର ଉପକୂଳ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ପାଗ ମେଘୁ୍ଆ ରହିବା ସହ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଖରା ଛାଇର ଖେଳ ଦେଖିବାକୁ ମିଳିଛି । ଆସନ୍ତାକାଲି ଠାରୁ ପାଗ ଆହୁରି ବଦଳିବା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବ । ପଶ୍ଚିମା ଝଡ ପ୍ରଭାବରେ କାଲି ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ମୟୁରଭଞ୍ଜକୁ ସତର୍କତା ଜାରି କରାଯାଇଛି ।

୧୬ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ଉପକୂଳ ଓଡ଼ିଶାର କେନ୍ଦ୍ରାପଡା, ଯାଜପୁର ସମେତ ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ୧୭ ତାରିଖରେ ମଧ୍ୟ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ  ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ । ବାକି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇନଥିବା ଜିଲ୍ଲା ଗୁଡିକରେ ତାତି ଜାରି ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୩୭ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । ଗତକାଲି ରାଜ୍ୟରେ ପ୍ରଥମ ଥର ପାଇଁ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩୯.୫ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ଭାବରେ ରକର୍ଡ କରିଥିଲା । ଭବାନୀପାଟଣାରେ ୩୯.୪ ଡିଗ୍ରୀ ତାପମାତ୍ରା ରହିଥିଲା । ଆଜି ମଧ୍ୟ ଉପକୂଳ ଓଡ଼ିଶାରେ ସାମାନ୍ୟ ତାତି ସହ ଗୁଳୁଗୁଳି ଅନୁଭୁତ ହୋଇଛି ।