ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି; ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ତାତିରୁ ମିଳିବ ଆଶ୍ବସ୍ତି । ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ରାଜ୍ୟରେ 15ରୁ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି । ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲି ଘଡଘଡି ବିଜୁଳି ସହ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ କମିଛି ତାପମାତ୍ରା । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଉପରମୁହାଁ ହେବ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିପଡାରେ ସର୍ବାଧିକ ୨୭.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଆଜି କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ବର ଜିଲ୍ଲାର ଘଡ଼ଘଡି ସହିତ ବର୍ଷା ସମ୍ଭାବନା ରହିଛି । ତେବେ ପୁରୀ, ଗଞ୍ଜାମ, କୋରାପୁଟ ଓ ଦେବଗଡ଼ ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ।