ନକଲି ଔଷଧ କାରବାରକୁ ନେଇ ବଡ ପଦକ୍ଷେପ, ଏଣିକି ରାଜ୍ୟ ବାହାରୁ ଆଣି ପାରିବେନି ଦୋକାନୀ

1 min read

ଭୁବନେଶ୍ବର: ଏଣିକି ରାଜ୍ୟ ବାହାରୁ ନିଜ ଆଡୁ କୌଣସି ଔଷଧ ଦୋକାନୀ ଔଷଧ ଆଣିପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ।

ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-40 ଓ ଟେଲମା -H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା । ସଂଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଔଷଧ କମ୍ପାନୀର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଛନ୍ତି ।

ଦୋକାନୀ କେବଳ ଏଜେଣ୍ଟଙ୍କ ଠାରୁ ଔଷଧ କିଣିପାରିବେ ତେବେ ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ କୌଣସି ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟରେ ଗୋଟିଏ ହେଲେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନଥିଲେ ହେଁ ନକଲି କାରବାରକୁ ରୋକିବାକୁ ସଂଘର ଏଭଳି ପଦକ୍ଷେପ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି  ।