ଓଡ଼ିଶା ହେବନି ମଦମୁକ୍ତ ରାଜ୍ୟ: ଗୃହରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ

ଓଡ଼ିଶାରେ ବନ୍ଦ ହେବନି ମଦ କାରବାର । ଓଡ଼ିଶା ହେବନି ମଦମୁକ୍ତ ରାଜ୍ୟ । ଖୋଲିବ ବନ୍ଦ ଥିବା ୭୦ ମଦ ଦୋକାନ । ଆଜି ଗୃହରେ ଲିଖିତ ଭାବେ ଏପରି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ମଦମୁକ୍ତ ରାଜ୍ୟ ଓ ମଦ ବନ୍ଦ କରିବାକୁ ବିଜେପି ବାରମ୍ବାର ଦାବି କରୁଥିଲା । ହେଲେ ସରକାରକୁ ଆସିବା ପରେ ବିଜେପି ବି ମଦମୃତ୍ୟୁ ରାଜ୍ୟ ଉପରୁ ମୁହଁ ଫେରାଇ ଦେଇଛି । ମଦ ବନ୍ଦ ତ କରିବେନି ସରକାର । ଓଲଟି ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ବି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୭୦ ଗୋଟି ବନ୍ଦ ଥିବା ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଦିଆଯାଇଛି ଅନୁମତି । ସେହିପରି ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ବାଲେଶ୍ୱରରେ ସର୍ବାଧିକ ୧୭ଟି, ଗଞ୍ଜାମରେ ୧୦ଟି, ନୟାଗଡରେ ୯, ମୟୂରଭଞ୍ଜରେ ୮, କଟକରେ ୭, ରାଉରକେଲାରେ ୫, କେନ୍ଦୁଝରରେ ୩, ବ୍ରହ୍ମପୁରରେ ୪, ବଲାଙ୍ଗୀରରେ ୨, କନ୍ଧମାଳରେ ୩, ଏବଂ ମାଲକାନଗିରି, ସମ୍ବଲପୁରରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ପୁଣି ସରକାର ଖୋଲିବେ । ପୁରୀରେ ୩ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବେ ପାଇଁ ବିଭାଗ ପାଖରେ ରହିଛି ପ୍ରସ୍ତାବ । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଛି । ଗୃହରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତର ଯୋଗୁଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନ ଇସ୍ତାହାରରେ ଗୋଟେ କଥା, ନିର୍ବାଚନ ଜିତିବା ପରେ ଅଲଗା କାମ କରୁଥିବା ବିଜେଡି ଅଭିଯୋଗ କରିଛି । ଆଗ କହିଲେ ମଦମୁକ୍ତ ହେବ । ଏବେ କହୁଛନ୍ତି ହେବନି ବୋଲି ବିଜେଡି କଟାକ୍ଷ କରିଛି । ସେପଟେ କଂଗ୍ରେସ କହିଛି ଯେ ସରକାର ଯାହା କୁହନ୍ତି, ତାହା କରନ୍ତି ନାହିଁ। ରାଜସ୍ୱ କ୍ଷତିକୁ ଦେଖୁଛନ୍ତି ସରକାର । କାରଣ ମଦ ରାଜସ୍ୱରେ ହିଁ ସରକାର ଚଳାଇବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବିଧାନସଭାରେ ସରକାରଙ୍କ ଉତ୍ତର ମଦ ପ୍ରୋତ୍ସାହନ ଆଡ଼କୁ ସଂକେତ ଦେଉଛି । ବିଜେପିର ଅନେକ ବିଧାୟକ ବିଭିନ୍ନ ସମୟରେ ମଦ ବିରୋଧରେ ସ୍ୱର ଉଠାଇଛନ୍ତି । ମଦ ବନ୍ଦ ପାଇଁ ବି ଦାବି କରିଛନ୍ତି । ହେଲେ ଆଜି ନିଜ ସରକାରଙ୍କ ନିଷ୍ପତ୍ତି ଆଗକୁ ମୁଣ୍ଡ ନୂଆଇବାକୁ ସେମାନେ ବାଧ୍ୟ ହୋଇଛନ୍ତି । ସେପଟେ ମଦ ବିରୋଧରେ ଦୀର୍ଘ ଦିନ ହେଲା ସଂଗ୍ରାମ କରୁଥିବା ସମାଜସେବୀମାନେ ବି ସରକାରଙ୍କୁ ଘେରିଛନ୍ତି । ସେମାନେ ମଦମୁକ୍ତ ଓଡ଼ିଶା ପାଇଁ ବିଜେପିର ନିର୍ବାଚନ ପ୍ରଚାରକୁ ସରକାରଙ୍କୁ ମନେ ପକାଇ ଦେଇଛନ୍ତି । ଯଦି ବିଜେପି ଶାସିତ ଗୁଜରାଟ ଓ ବିହାରରେ ମଦ ବନ୍ଦ ହୋଇ ପାରିବ, ଓଡ଼ିଶାରେ ବିଜେପି ସରକାର କାହିଁକି ଏହାକୁ ବନ୍ଦ କରି ପାରିବେ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଗୋଟେ ପଟେ ରାଜ୍ୟରେ ମଦ ବନ୍ଦ ହେବନି । ଅନ୍ୟପଟେ ଚୋରାରେ ଚାଲିଛି ମଦ ବିକ୍ରି । ଆଜି ନାବାଳକ ବି ନିଶା ଆଡ଼କୁ ଅଗ୍ରସର ହେଲାଣି । ମଦ ପିଇ ଦୁର୍ଘଟଣାରେ ପ୍ରାଣ ହରାଇବାରେ ଓଡ଼ିଶାର ସ୍ଥିତି ଭଲ ନାହିଁ । ତଥାପି ଚେତୁ ନାହାନ୍ତି ସରକାର ।