ଆସନ୍ତାକାଲି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ରରେ ଦୌଡ଼ିବ ଓଡ଼ିଶା

ଭୁବନେଶ୍ୱର : ଆସନ୍ତାକାଲି ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର । ଏହି ଅବସରରେ ‘ସକାଳ’ ଓ ନନ୍ଦିଘୋଷ ଟିଭି ପକ୍ଷରୁ ମିଳିତ ଭାବେ ଏକ ମିନି ମାରାଥନ ଆୟୋଜନ କରାଯାଇଛି  । ବିଶ୍ବ ଏଡସ ଦିବସରେ ସଚେତନତାର ବାର୍ତ୍ତା ନେଇ ଦୌଡିବ ଓଡ଼ିଶା । ରାଜ୍ୟର ୯ଟି ସହରରେ ଆୟୋଜିତ ହେଉଛି ମିନି ମାରାଥନ୍  । ସତ୍ୟ, ସେବା ଓ ସାମର୍ଥ୍ୟର ତିନି ବର୍ଷ ଅବସରରେ  ଏକା ସାଙ୍ଗରେ ଦୌଡ଼ିବ ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର, ରାଉରକେଲା, ଅନୁଗୁଳ, ଜୟପୁର, ସମ୍ବଲପୁର ଓ ବ୍ରହ୍ମପୁର  ।  ଭୁବନେଶ୍ବର ଶିଶୁଭବନ ଛକଠାରୁ ଏକାମ୍ର ହାଟ, କଟକ ଆଇଲଭ କଟକ ଯୋବ୍ରାଠାରୁ ରେଳ ଷ୍ଟେସନ, ପୁରୀ ତାଳବଣିଆ ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ, ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ, ରାଉରକେଲା ଗୋପବନ୍ଧୁ ଛକଠାରୁ ବିଜୁ ପଟ୍ଟନାୟକ ଛକ, ଅନୁଗୁଳ ଜଗନ୍ନାଥ ମନ୍ଦିରଠାରୁ ଲକ୍ଷ୍ମୀ ବଜାର ଶୈଳଶ୍ରୀକ୍ଷେତ୍ର, ଜୟପୁର ରାଜନହରା ଷ୍ଟେସନଠାରୁ ରାଜନହରା ଜଙ୍ଗସନ, ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟଟାରୁ ଗାନ୍ଧିପାର୍କ ଫୋର ସି ଗ୍ରାଉଣ୍ଡ, ବ୍ରହ୍ମପୁର ଏମକେସିଜି ମେଡିକାଲ ଛକଠାରୁ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ମାରାଥନ ଅନୁଷ୍ଠିତ ହେବ  । ଏହି ମାରାଥନର ଗତ ଦୁଇଟି ସିଜନରେ ବିଭିନ୍ନ ବୟସର ଶହ ଶହ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ ।

ଚଳିତ ବର୍ଷ ମଧ୍ୟ ବୟସ ନିର୍ବିଶେଷରେ ଅଧିକରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏହି ମିନି ମାରାଥନକୁ ଆହୁରି ଉତ୍କଣ୍ଠା ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବାକୁ ‘ସକାଳ’ ଓ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ ନିବେଦନ କରାଯାଇଛି। ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ସ୍ୱନାମଧନ୍ୟ କ୍ରୀଡ଼ାବିତ୍ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ନନ୍ଦିଘୋଷ ଟିଭିରେ ଏହାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା ହୋଇଛି।ଜରୁରୀ ଓ ସଠିକ୍ ସମାଚାର ଯୋଗାଇ ଦେବାର ସଂକଳ୍ପ ନେଇ ୨୦୨୦ ମସିହା ଡିସେମ୍ବର ୧ ତାରିଖରେ ଆତ୍ମପ୍ରକାଶ କରିଥିଲା ଦୈନିକ ଖବର କାଗଜ ସକାଳ । ନିରବଚ୍ଛିନ୍ନ ଖବର ପରିବେଷଣ କରି ଖୁବ୍ କମ୍ ସମୟରେ ପାଠକଙ୍କ  ଆଦୃତ ଲାଭ କରିବା ସହ ସକାଳ ହୋଇପାରିଛି ସମସ୍ତଙ୍କ ପସନ୍ଦ ।