କ୍ୟାବିନେଟ ଅନୁମୋଦନ; ଆହୁରି ୧୦ବର୍ଷ ପାଇଁ ଓଡ଼ିଶା ରହିବ ଭାରତୀୟ ହକି ଟିମର ପ୍ରାୟୋଜକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ହକିକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ହକି ଟିମର ପ୍ରାୟୋଜକ ଭାବେ ଓଡ଼ିଶା ରହିବା ନେଇ କ୍ୟାବିନେଟରେ ଅନୁମୋଦନ ମିଳିଛି । ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମର ପ୍ରାୟୋଜ ରହିବ ଓଡ଼ିଶା । ଏହି ନିଷ୍ପତ୍ତି କ୍ରୀଡ଼ା କ୍ଷେତ୍ରରେ ଅନେକ ସମ୍ଭାବନା ସୃଷ୍ଟି କରିବ ।

ଓଡ଼ିଶା ଲଗାତାର ଦୁଇଥର ହକି ବିଶ୍ୱକପର ଆୟୋଜନ କରି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାକୁ ସ୍ପୋର୍ଟ୍ସ ହବ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ଆଜିର କ୍ୟାବିନେଟ ମଞ୍ଜୁରୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ନେବାରେ ସହାୟକ ହେବ । କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ହକିର ଲୋକପ୍ରିୟତା ବୃଦ୍ଧିରେ ଏହା ସହାୟକା ହେବ । ସୂଚନାଯୋଗ୍ୟ ଯେ, ସାହାର ଇଣ୍ଡିଆ ଭାରତୀୟ ହକି ଟିମର ସ୍ପନସରସିପ୍ ଛାଡ଼ିବା ପରେ ଭାରତୀୟ ହକି ପାଇଁ ସଂକଟ ସୃଷ୍ଟି ହୋଇଥିଲା । ଏହି ସମୟରେ ଓଡ଼ିଶା ଭାରତୀୟ ହକି ପାଇଁ ଆଶାର ଆଲୋକ ଭାବେ ଉଭା ହୋଇଥିଲା।

ଓଡ଼ିଶା ସରକାର ଭାରତୀୟ ହକି ଟିମକୁ ସ୍ପନସର କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ହକିକୁ ନେଇ ନିଜ ପ୍ରତିବଦ୍ଧତାର ପରିଚୟ ଦେଇ ସାରିଛି । ସୂଚନାଥାଉକି ୨୦୨୧ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ୧୦ ବର୍ଷ ପାଇଁ ଭାରତୀୟ ଟିମକୁ ସ୍ପୋନ୍ସର କରିବେ ବୋଲି ଘୋଷଣା କରିଥିଲେ ।

ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସଫଳତା ମିଳିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସମୟରେ ଏହି ଘୋଷଣା କରିଥିଲେ । ସୂଚନାଥାଉକି ୨୦୧୮ ମସିହାରୁ ଭାରତୀୟ ଟିମକୁ ସ୍ପନ୍ସର କରିଆ ଆସୁଛି ଓଡ଼ିଶା । ଏବଂ ଏହି ଚୁକ୍ତି ୫ ବର୍ଷ ପାଇଁ ହୋଇଥିଲା । ଯାହାକି ୨୦୨୩ରେ ଶେଷ ହେବାକୁ ଯାଉଥିଲା । ଏବେ ୧୦ ବର୍ଷ ସରକାର ବଢ଼ାଇବା ପରେ ୨୦୩୩ ପର୍ଯ୍ୟନ୍ତ ଭାରତ ପ୍ରାୟୋଜକ ଭାବେ ରହିବ ଓଡ଼ିଶା ।