ଓଡ଼ିଶା ଛୁଇଁଛି ପହିଲି ଶୀତ, ଦୃଶ୍ୟମାନ ହେଉଛି ଘନ କୁହୁଡି

ଭୁବନେଶ୍ବର: ଓଡ଼ିଶା ଛୁଇଁଛି ପହିଲି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ୨୪ ଘଣ୍ଟାରେ ୬ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ରହିବ । ମେଘମୁକ୍ତ ଆକାଶ ସହ ରାଜ୍ୟରେ ପହିଲି ଶୀତ ଅନୁଭବ ହୋଇଛି । ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ, କୋରାପୁଟ ଏବଂ ଦାରିଙ୍ଗବାଡିରେ ୧୪ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । କିରେଇରେ ୧୪.୪ଡିଗ୍ରୀ ଏବଂ ସେମିଳିଗୁଡାରେ ୧୫ ଡିଗ୍ରୀ ତାପମାତ୍ରା ହୋଇଛି ।

ସେହିଭଳି ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର, ସୋନପୁର, ନବରଙ୍ଗପୁର ଏବଂ ରାଉରକେଲାରେ ବି ଶୀତ ଅନୁଭୁତ ହୋଇଛି । ଏହାସହ ଉପକୂଳ ଓଡ଼ିଶାରେ ବି ସଂନ୍ଧ୍ୟା ଏବଂ ସକାଳେ ସାମାନ୍ୟ ଶୀତ ଅନୁଭବ କରିଛନ୍ତି ଲୋକେ । ଶୀତ ସହ ଘନ କୁହୁଡି ଦେଖିବାକୁ ମିଳିଛି । କୋରାପୁଟରେ ୫୦ ମିଟର ଦୃଶ୍ୟମାନ କୁହୁଡି ଅନୁଭୁତ ହୋଇଥିବା ବେଳେ ଚାନ୍ଦବାଲିରେ ୧୦୦ ମିଟର ଦୃଶ୍ୟମାନ ଦୂରତା ରହିଛି । ଏଭଳି ପାଗ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ପାଗରେ ପରିବର୍ତ୍ତନ ହେବ । ବଙ୍ଗୋପସାଗରରୁ ଓଡ଼ିଶାକୁ ପୂର୍ବ ଦିଗରୁ ତରଙ୍ଗାୟିତ ଶୁଷ୍କ ପବନ ପ୍ରବାହ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ୧ ନଭେମ୍ବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।