ଥରୁଛି ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

1 min read

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୩ ରୁ ୪ ଦିନ ହେବ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପବନ ପ୍ରବାହ ଧିରେ ଧିରେ ଦୁର୍ବଳ ହେଉଛି । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟକୁ ପୂର୍ବାଳୀ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳର ରାତ୍ରୀ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଫଳରେ ଶୀତର ପ୍ରକୋପ ସାମାନ୍ୟ କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତ ସହ କଲବଲ କରିବ ଘନ କୁହୁଡି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ପାଇଁ ଘନ କୁହୁଡି ପାଇଁ ୧୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଆଜିଠୁ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇପାରନ୍ତି ରାଜ୍ୟବାସୀ ।