କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ଓଡ଼ିଶା କୁସ୍ତି ସଂଘର ସମର୍ଥନ

1 min read

ଭୁବନେଶ୍ବର: ନ୍ୟାୟ ଦାବିରେ ଜନ୍ତରମନ୍ତରରେ ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ପ୍ରତି ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିବାରେ ଲାଗିଛି ସମର୍ଥନ । ଏହି କ୍ରମରେ ଓଡ଼ିଶା କୁସ୍ତି ସଂଘ ଛିଡ଼ା ହେଲା କୁସ୍ତିଯୋଦ୍ଧାଙ୍କ ସହ । ନ୍ୟାୟ ଦାବି କଲେ ରାଜ୍ୟ କୁସ୍ତି ସଂଘର ସଭାପତି ଓ ସମ୍ପାଦକ । କହିଲେ- ବ୍ରିଜ ଭୂଷଣଙ୍କ ବିରୋଧରେ ନିଆଯାଉ ଆଇନ ଅନୁଯାୟୀ ଆକ୍ସନ । ଏପଟେ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ମାମଲା ରୁଜୁ ପରେ ୭ ଅଭିଯୋଗକାରୀଙ୍କୁ ସୁରକ୍ଷା ଦେଲା ଦିଲ୍ଲୀ ପୋଲିସ ।

ବିଜେପି ନେତା ତଥା ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ଚରଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଚାରିଆଡେ ଛି ଛାକାର । ବ୍ରିଜଭୂଷଣ ସିଂଙ୍କୁ ତୁରନ୍ତ ବହିଷ୍କାର କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିବାରେ ଲାଗିଛି । ଓଡ଼ିଶା କୁସ୍ତି ସଂଘର ଉପସଭାପତି ଦେବେନ୍ଦ୍ର ସାହୁ ମଧ୍ୟ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଜାତୀୟ ଅନ୍ତର୍ଜାତୀୟ କ୍ଷେତ୍ରରେ ଦେଶ ପାଇଁ ଗୌରବ ଆଣୁଥିବା କୁସ୍ତି ଯୋଦ୍ଧାଙ୍କ ପ୍ରତି ଅନ୍ୟାୟ ହେଉଛି । ଅଲମ୍ପିଆନ ଅନୁରାଧା ବିଶ୍ବାଳ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି । କୁସ୍ତି ଯୋଦ୍ଧାଙ୍କ କ୍ୟାରିୟରର ଗୋଟିଏ ମିନିଟ ବି ବହୁତ ମୂଲ୍ୟବାନ । ଏଠି କୁସ୍ତିଯୋଦ୍ଧା ଅନ୍ୟାୟର ପ୍ରତିବାଦ କରି ଯେଉଁ ଧାରଣାରେ ଦେଇଛନ୍ତି ତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି । ଆନ୍ଦୋଳନକୁ ରେସଲର କୋଚ ମଧ୍ୟ ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ରାଜନୀତିର ଏଣ୍ଟ୍ରିକୁ ନାପସନ୍ଦ କରିଛନ୍ତି ଓଡ଼ିଶା କୁସ୍ତି ସଂଘର ସମ୍ପାଦକ । ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳୁ । ଏହାଦ୍ବାରା କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ମିଳିବ । ଜନ୍ତରମନ୍ତରରେ ଚାଲିଥିବା ଧାରଣା କୁସ୍ତି ପ୍ରତି ଲୋକଙ୍କ ମନରେ ମଳିନତା ସୃଷ୍ଟି କରୁଛି । ମାମଲା ଏବେ ସୁପ୍ରିମକୋର୍ଟରେ ଥିବାରୁ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ହେଉ ବୋଲି ସେ କହିଛନ୍ତି ।

ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗକୁ ବୁଦ୍ଧିଜୀବୀମାନେ ମଧ୍ୟ ନାପସନ୍ଦ କରିଛନ୍ତି । ଦେଶ ତଥା ବିଦେଶରେ ନାଁ କରୁଥିବା ଯୋଦ୍ଧାଙ୍କ ପାଇଁ ପ୍ରଶାସନ ଆଗେଇ ଆସୁ, ନହେଲେ କୁସ୍ତିରେ କ୍ୟାରିୟର କରିବାକୁ ଚାହୁଁଥିବା ଭବିଷ୍ୟତ ପିଢି ଏଥିରୁ ବିମୁଖ ହୋଇଯିବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

ଜନ୍ତରମନ୍ତରରେ ଚାଲିଥିବା ଧାରଣାକୁ ଭଣ୍ଡୁର କରିବା ପାଇଁ ଚାରିଆଡୁ କରାଯାଉଛି ଉଦ୍ୟମ । ରାଜନୈତିକ ସମର୍ଥନ ବଢୁଥିବାରୁ ପ୍ରତିବାଦ ସ୍ଥଳରୁ କୁସ୍ତିଯୋଦ୍ଧାଙ୍କୁ ହଟେଇବା ପାଇଁ ଜୋରସୋର ପ୍ରୟାସ କରାଯାଉଛି । ଦିଲ୍ଲୀ ପୋଲିସ ପକ୍ଷରୁ ଧାରଣାସ୍ଥଳ ଛାଡିବା ପାଇଁ ନୋଟିସ ଦିଆଯାଇଥିବା ବେଳେ ବିଦ୍ୟୁତ ଓ ପାଣି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ସେପଟେ ଦିଲ୍ଲୀ ପୋଲିସର ମାମଲା ରୁଜୁ ପରେ ୭ ଜଣ ଅଭିଯୋଗକାରୀଙ୍କୁ ପୋଲିସ ସୁରକ୍ଷା ଦେଇଛି ।