ବସ୍ତ୍ର ପାଇଁ ଚମକିଲା ଓଡିଶା, ୫ କାରୁକାର୍ଯ୍ୟ ପାଇଁ ବିଶ୍ବରେ ପ୍ରଶଂସିତ

ଭୁବନେଶ୍ବର: ଓଡ଼ିଶାର ୫ ଉତ୍ପାଦକୁ ବିଶ୍ବ ସ୍ତରରେ ମିଳିଲା ମାନ୍ୟତା । ୟୁନେସ୍କୋର ୫୦ଏକ୍ସକ୍ଲୁସିଭ୍ ଓ ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲ କ୍ରାଫ୍ଟ ତାଲିକାରେ ଓଡ଼ିଶାରେ ୫ କାରୁକାର୍ଯ୍ୟ ରହିଛି । ସମ୍ବଲପୁରର ବାନ୍ଧ ଟାଏ ଆଣ୍ଡ ଡାଏ, ବ୍ରହ୍ମପୁର ପାଟ, କନ୍ଧମାଳ ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ବସ୍ତ୍ର, କେନ୍ଦୁଲିଙ୍କ ବୁଣା ପାଟ ଓ ଖୋର୍ଦ୍ଧା ଧଳାପଥରର ପର୍ଦ୍ଦାକୁ ମିଳିଛି ବିଶ୍ବ ମାନ୍ୟତା । ୟୁନେସ୍କୋର ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ଏହି ତାଲିକା ଜାରି କରିଛି ।

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ବ୍ରହ୍ମପୁର ପାଟର ଇତିହାସ ଓ କିମ୍ବଦନ୍ତୀ ରହିଛି । ଚତୁର୍ଦ୍ଦଶ ଶତାବ୍ଦୀରେ ଦେବ ରାଜବଂଶର ଶାସନ କାଳରେ ଆନ୍ଧ୍ର ରାଜମହେନ୍ଦ୍ରୀର କେତେକ ବୁଣାକାର ପରିବାରକୁ ବ୍ରହ୍ମପୁର ଅଣାଯାଇଥିଲା । ଏମାନେ ବ୍ରହ୍ମପୁରରେ ପାଟ ପ୍ରସ୍ତୁତ କରିଥିଲେ । ଏହି ଦୁର୍ଲ୍ଲଭ ବୟନ ଶିଳ୍ପ ଏବେ ବିଶ୍ବ ଦରବାରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଏହି ଶିଳ୍ପ ଉପରେ ଏବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ବୁଣାକାର ଓ ସହଯୋଗୀ ନିର୍ଭରଶୀଳ । ଜିଲ୍ଲାର ୫୬୦ ପରିବାର ହ୍ୟାଣ୍ଡଲୁମ୍ ଓ ୩୯୮ ପରିବାର ପାରମ୍ପରିକ ସିଲ୍କ ଶାଢ଼ୀ ଓ କଟନ ଶାଢ଼ୀ ପ୍ରସ୍ତୁତ କରୁଛନ୍ତି ।