spot_img

Latest Posts

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଦାବିରେ ଦିଲ୍ଲୀରେ ଆନ୍ଦୋଳନ

ନୂଆଦିଲ୍ଲୀ: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ସୋମବାର ରାଜଧାନୀ ନୂଆଦିଲ୍ଲୀର ଯନ୍ତର ମନ୍ତର ଠାରେ ଓଡ଼ିଶା ଯୁବ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସଂଗଠନର ପ୍ରତିଷ୍ଠାତା ଆଶିଷ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୨୯ ତାରିଖ ୧୮୧୭ମସିହାରେ ଇଂରେଜମାନଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଆର୍ଥିକ ଶୋଷଣ ବିରୋଧରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ସମେତ ସମସ୍ତ ଓଡ଼ିଆ ପାଇକ ବୀରପୁତ୍ର ମାନେ ସଂଗ୍ରାମ କରିଥିଲେ।

ପାଇକ ବିଦ୍ରୋହ ଦ୍ୱାରା ହିଁ ଇଂରେଜ ମାନଙ୍କ ବିରୋଧରେ ଦେଶରେ ସ୍ୱାଧୀନତା ସଂଗ୍ରାମର ଅୟମାରମ୍ଭ ହୋଇଥିଲା। ସଂଗଠନର ପ୍ରତିଷ୍ଠାତା ଆଶିଷ ରଂଜନ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ କି ” ୨୦୧୭ ମସିହାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ପାଇକ ବିଦ୍ରୋହ କୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଥିଲେ କିନ୍ତୁ ବର୍ତ୍ତମାନ ମଧ୍ୟ ଭାରତର କିଛି ରାଜ୍ୟ ମାନଙ୍କରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ୧୮୫୭ର ସିପାହୀ ବିଦ୍ରୋହକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରଥମ ସ୍ୱାଧୀନତାର ମାନ୍ୟତା ଦେଇ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଗୌଣ କରିବାକୁ ଅପଚେଷ୍ଟା କରୁଛନ୍ତି ।

ଅବିସ୍ମରଣୀୟ ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା,ବୀରତ୍ୱର ସ୍ମୂତିସ୍ତମ୍ଭ ତେଣୁ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ଅଣଦେଖା କରି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିବା ବନ୍ଦ କରନ୍ତୁ । କେନ୍ଦ୍ର ସରକାର ପାଇକ ବିଦ୍ରୋହ କୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ର ପ୍ରତିଶ୍ରୁତିକୁ ପୂରଣ କଲେ ହିଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ” । ଏଥିରୁ ବିଚ୍ୟୁତ ହେଲେ ଦିଲ୍ଲୀ ଦରବାରରେ ଓଡ଼ିଆ ଜାତିର ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

Latest Posts

Don't Miss