ବିଶ୍ବକପ୍ ଫାଇନାଲ ଅଫର: ହେଲିକପ୍ଟରରେ କିଏ ଯିବ ମ୍ୟାଚ୍ ଦେଖି ?

1 min read

ଭୁବନେଶ୍ବର: ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ଦିନିକିଆ ବିଶ୍ବକପ୍ ଫାଇନାଲ ମ୍ୟାଚ୍ । ଟକ୍କରା ଟକ୍କରି ହେବେ ଦୁଇ ଶକ୍ତିଶାଳି ଭାରତ ଓ ଅଷ୍ଟ୍ରେଲିଆ । ହୋମ୍ ଗ୍ରାଉଣ୍ଡରେ ଭାରତ ସମସ୍ତ ମ୍ୟାଚ ଜିତି ଫାଇନାଳରେ ପ୍ରବେଶ କରିଛି । ସେପଟେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲକୁ ଆସିଛି ଅଷ୍ଟ୍ରେଲିଆ । ଦୁଇ ବିଶ୍ବ ବିଜେତାଙ୍କ ମଧ୍ୟରେ ଟକ୍କରକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏତେ ଉତ୍ସାହ ଯେ ଟିକେଟ ଗୋଟିଏ ପାଇଁ କିଛି ବି କରିପାରିବେ । ସୋସିଆଲ ମିଡ଼ିଆରେ ମଧ୍ୟ ବିଶ୍ବକପ୍ ମ୍ୟାଚ ଓ ଟିକେଟ ଅଭାବକୁ ନେଇ ପୋଷ୍ଟ ଦେଖିବାକୁ ମିଳୁଛି । ଏମିତି କି ସାଙ୍ଗରେ ମ୍ୟାଚ୍ ଦେଖିବାକୁ କେହି କେହି ସୋସିଆଲ ମିଡ଼ିଆରେ ଅଫର ମଧ୍ୟ ଦେଉଛନ୍ତି । ଏମିତି ଏକ ମଜାଦାର ଅଫର୍ ଏବେ ସୋସିଆଲ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ X ରେ @ayushpranav3 ନାମକ ଏକ ଆଇଡରେ ଏମିତି ଏକ ମଜାଦାର ପୋଷ୍ଟ ହୋଇଛି । ଆୟୁଷ ନାମକ ଯୁବକ ମ୍ୟାଚ୍ ଦେଖିବା ପାଇଁ ହେଲିକପ୍ଟର ଅଫର କରିଛନ୍ତି । ହେଲିକପ୍ଟରରେ ଅହମ୍ମଦାବାଦ ଯାଇ ମ୍ୟାଚ ଦେଖିବାକୁ ସେ ନିମନ୍ତ୍ରଣ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ‘କେହି ହେଲିକପ୍ଟରରେ ଯାଇ ବିଶ୍ବକପ୍ ଫାଇନାଲ ଦେଖିବାକୁ ଚାହୁଁଛନ୍ତି କି ? ଦୁଇ ଜଣଙ୍କ ଆବଶ୍ୟକତା ଅଛି । ଆମେ ଶନିବାର ବେଙ୍ଗାଲୁରୁ ଏୟାରପୋର୍ଟରୁ ବାହାରିବା ଓ ଅହମ୍ମଦାବାଦରେ ଜଳଖିଆ କରି ମ୍ୟାଚ୍ ଦେଖିବା ପରେ ଫେରି ଆସିବା ।’

ତେବେ ଏହାପରେ ସେ ପୋଷ୍ଟରେ ଯାହା ଲେଖିଛନ୍ତି, ତାହା ବେଶ ମଜାଦର । ଯାହାକୁ ପଢ଼ି ଅନ୍ୟ ୟୁଜର୍ସମାନେ ବେଶ ମଜା ନେଉଛନ୍ତି ଓ ସେମାନଙ୍କ ମଜାଦାର କମେଣ୍ଟ ସେୟାର କରୁଛନ୍ତି ।

ଆୟୁଷ ଶେଷକୁ ଲେଖିଛନ୍ତି, ‘ଯଦି ଇଚ୍ଛୁକ ତେବେ ମେସେଜ କରନ୍ତୁ । ହେଲେ ଆପଣଙ୍କ ପାଖରେ ହେଲିକପ୍ଟର ଓ ଟିକେଟ୍ ଥିବା ଆବଶ୍ୟକ । ନହେଲେ ଆମେ ଯାଇ ପାରିବା ନାହିଁ ।’

ଏହା ପଢ଼ିବା ପରେ ଲୋକେ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ । ଜଣେ ୟୁଜର୍ସ ରିଟୁଇଟ୍ କରି ଲେଖିଛନ୍ତି, ‘ଭାଇ ହେଲିକପ୍ଟର ଓ ଟିକେଟ ମୁଁ ନେଇ ଆସିବି । ତୁମେ କେବଳ ପାର୍କିଂ ବ୍ୟବସ୍ଥା କରିଦେବ ।’ ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଭାଇ ପୋଷ୍ଟ ଶେଷରେ ତୁମେ ପ୍ରତାରଣ ଦେଇ ଦେଲ ।’