ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର: ପୋର୍ଟ ଫୋଲିଓ କହିଲେ ବି ଚିହ୍ନି ପାରୁନାହାଁନ୍ତି ଅଧିକାରୀ

ଶାସକ ଦଳର ନେତାଙ୍କୁ ଜାଣୁନାହାନ୍ତି ଅଫିସର । ପୋର୍ଟ ଫୋଲିଓ କହିଲେ ବି ଚିହ୍ନିପାରୁନାହାଁନ୍ତି ଅଧିକାରୀ । ସଙ୍ଗୀନ ଅଭିଯୋଗ ଆଣିଲେ ସରକାରୀ ଦଳ ଉପ ମୁଖ୍ୟସଚେତକ । ବିରୋଧୀ କହିଲେ, ରାଜ୍ୟରେ ଚାଲିଛି ବିଚିତ୍ର ଶାସନ । ସରକାରୀ ଅଫିସର ଜାଣୁନାହାନ୍ତି ନେତାଙ୍କ ପୋର୍ଟ ଫୋଲିଓ । ବିଜେପି ସରକାରର ୧୩ ମାସ ପରେ ବି ଶାସକ ଦଳର ବିଭିନ୍ନ ପୋର୍ଟ ଫୋଲିଓ ଥିବା ନେତାଙ୍କୁ ଜାଣିପାରୁନାହାନ୍ତି ସରକାରୀ ଅଧିକାରୀ । ଫୋନରେ ପରିଚୟ ଦେଲେ ବି ଉତ୍ତର ଆସୁଛି କିଏ କହୁଛନ୍ତି ? ସରକାରୀ ଅଧିକାରୀଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସରକାରୀ ଦଳ ଉପ ମୁଖ୍ୟସଚେତକ ଗୋବିନ୍ଦ ଚନ୍ଦ୍ର ଦାସ । ନିଜର କ୍ଷୋଭ ପ୍ରକାଶ କରି ଉପ ମୁଖ୍ୟସଚେତକ କହିଛନ୍ତି ‘ଉପମୁଖ୍ୟ ସଚେତକ’ କହିଲେ ଜାଣିପାରୁନାହାନ୍ତି ଅଫିସର। ପଦପଦବୀର ଗରିମା ବୁଝିପାରୁନାହାନ୍ତି । ବିଧାୟକ କହିଲେ ଜାଣୁଛନ୍ତି ଉପମୁଖ୍ୟ ସଚେତକ କହିଲେ ବୁଝି ପାରୁନାହାନ୍ତି । ବିଧାନସଭାର ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଯଦି ଅଫିସର ଜାଣିପାରୁନାହାନ୍ତି ତେବେ ରାଜ୍ୟରେ ଶାସନ ବ୍ୟବସ୍ଥା କିପରି ଚାଲିଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଉପ ମୁଖ୍ୟସଚେତକ କହିଛନ୍ତି ଆମେ ଅଫିସରଙ୍କୁ କ୍ଷମା କରିଦେବୁ ।
ସରକାରୀ ଦଳ ଉପ ମୁଖ୍ୟସଚେତକଙ୍କୁ ଅଫିସର ଜାଣିନପାରିବା ଅଭିଯୋଗକୁ ନେଇ ଶାସକ ଦଳକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୩ ମାସ ଧରି ସରକାର ଚଳାଇବା ପରେ ସରକାରୀ ଦଳ ଉପ ମୁଖ୍ୟସଚେତକ ଏପରି କହିବା ବିଧାୟକମାନଙ୍କୁ ଅପମାନ । ଗୋବିନ୍ଦକୁ ପ୍ରଶ୍ନ କରି ପ୍ରମିଳା କହିଛନ୍ତି ଯେ ଏବେ ରାଜ୍ୟରେ କିଏ ଶାସନ କରୁଛି ? ନିଜ ଦଳରେ ପ୍ରଚାର ପ୍ରସାର, ଆତ୍ମଗରିମା ନ ଛାଡିଲେ କିଛି ହବନି । ଅଫିସରଙ୍କୁ ଚିଠି ଦିଆ ହୋଇଛି କିନ୍ତୁ କେମିତି ବିଧାୟକଙ୍କୁ ଚିହ୍ନି ପାରୁନାହାନ୍ତି ? ଯେହେତୁ ଶାସକ ଦଳ କିଛି କାମ କରିପାରୁନାହାନ୍ତି କେଉଁ ବାଟ ଦେଇକି ଖସିବେ ବୋଲି ଭାବୁଛନ୍ତି । ଯଦି ସରକାରୀ ଉପ ମୁଖ୍ୟସଚେତକଙ୍କୁ ଚିହ୍ନି ପାରୁନାହାନ୍ତି ତାହାଲେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସ ଚିହ୍ନି ପାରୁଛନ୍ତି ତ ବୋଲି ପ୍ରଶ୍ନ କରିଛି ବିଜେଡି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ଓଡିଶାରେ ବିଚିତ୍ର ଶାସନ ଚାଲିଛି । ଶାସକ ଦଳ କିଛି କାମ କରୁନି କି ବିଧାନସଭା ଆଲୋଚନାରେ ବିଧାୟକମାନେ ଠିକ ଢଙ୍ଗରେ ନିଜର ଦକ୍ଷତା ପ୍ରତିପାଦନ କରୁନାହାନ୍ତି । ଖାସ ସେଥିପାଇଁ ଶାସକ ଦଳକୁ ଅଫିସରମାନେ ଚିହ୍ନି ପାରୁନାହାନ୍ତି । ପୋର୍ଟ ଫୋଲିଓରେ ଥିବା ନେତାଙ୍କୁ ଯଦି ଅଫିସର ଚିହ୍ନିପାରୁନାହାନ୍ତି , ତେବେ ଗ୍ରାଉଣ୍ଡରେ ବିଧାୟକମାନଙ୍କ କାମ କିପରି ହେଉଥିବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ୧୩ମାସର ସରକାରରେ ଯଦି ବିଧାୟକ ନ୍ୟାୟ ମାଗୁଛନ୍ତି, ତେବେ ଲୋକଙ୍କ ସମସ୍ୟା କେମିତି ଦୂର ହେବ ତାକୁ ନେଇ ବିରୋଧୀ ଶାସକ ଦଳକୁ ପ୍ରଶ୍ନ କରିଛନ୍ତି ।