ପାର୍ଟ ପ୍ଲଟ ରେଜିଷ୍ଟ୍ରେସନକୁ ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ’
1 min read
ନନ୍ଦିଘୋଷ ବ୍ୟୁରୋ: ପାର୍ଟ ପ୍ଲଟ କିଣାବିକା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଅଣଦେଖା । ତିନି ଶହ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ଫଳରେ ସହରରେ ଆପାର୍ଟମେଣ୍ଟ କିଣାବିକା ୨ ବର୍ଷ ହେଲା ବନ୍ଦ । ମାମଲା ଅଦାଲତରେ ଥିବା ବେଳେ ସରକାର କେବଳ ସମୟ ଗଡ଼େଇ ଚାଲିଛନ୍ତି । ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରିଅଲ ଇଷ୍ଟେଟ ଆକ୍ଟିଭିଷ୍ଟ ।
ସରକାରଙ୍କ ନିର୍ଦ୍ଦେଶକୁ ଫୁ କରିଦେଉଛନ୍ତି ବାବୁ । ବିନା ଲେ-ଆଉଟ ଅନୁମୋଦନରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହେବନି । ହେଲେ ଏହି ନିୟମକୁ ମାନୁନାହାନ୍ତି ଅଧିକାରୀ । ୨ ବର୍ଷରେ ୩ ଲକ୍ଷ ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି । ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏପରି କରିଥିବା ୩ ଶହ ପଞ୍ଜୀକରଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସରକାର । ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରିୟଲ ଇଷ୍ଟେଟ ଆକ୍ଟିଭିଷ୍ଟ । ସେପଟେ ୨ ବର୍ଷ ହେଲାଣି ବନ୍ଦ ପଡ଼ିଛି ପାର୍ଟ ପ୍ଲଟ ପଞ୍ଜୀକରଣ । ଅକୁପ୍ଯାନସି ସାର୍ଟିଫିକେଟ ଓ କମ୍ପ୍ଲିସନ ସାର୍ଟିଫିକେଟ ଦ୍ବନ୍ଦ୍ବ ହଟୁ ନଥିବାରୁ ଅଦାଲରେ ମାମଲା ଗଡ଼ି ଚାଲିଛି । ଏଭଳି ସ୍ଥିତିରେ ସହରୀ ବିକାଶ ଯୋଜନାରେ ସ୍ବଚ୍ଛତା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦାବି ଖାଲି ଘୋଷଣାରେ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହେଉନାହିଁ । ଲେ-ଆଉଟ ଅନୁମୋଦନ ସରଳ ଓ ସହଜ କରିବାକୁ ବାଟ ବାହାରୁନି । ଆପାର୍ଟମେଣ୍ଟ କିଣାବିକା ବନ୍ଦ ହୋଇଥିବାରୁ ରିଏଲ ଇଷ୍ଟେଟ ସେକ୍ଟରର ଭବିଷ୍ୟତ ବି ସନ୍ଦେହରେ । ଟାଉନ ପ୍ଲାନିଂ ସ୍କିମ ଜୋରଦାର କରିବାକୁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଜମି ମାଲିକ ବିଭିନ୍ନ ଜାଗାରେ ଏହାକୁ ବିରୋଧ କରୁଛନ୍ତି । ଭୁବନେଶ୍ବର ସହିତ କଟକର ପ୍ରଥମ ଟାଉନ ପ୍ଲାନିଂ ଯୋଜନାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ପାର୍ଟ ପ୍ଲଟ ଓ ଆପାର୍ଟମେଣ୍ଟ କିଣାବିକା ନେଇ ଏକମାସ ଭିତରେ ବାଟ ବାହାର କରିବାକୁ ଗତ ଜାନୁଆରୀରେ ରାଜସ୍ବ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନି ।
ସ୍ବଚ୍ଛ ସୁନ୍ଦର ଓ ଯୋଜନାବଦ୍ଧ ସହର ପାଇଁ ଡେଭଲପମେଣ୍ଟ ଆକ୍ଟ ଓ ରେରା ଆଇନ ପାଳନ ଜରୁରୀ । ଦ୍ବନ୍ଦ୍ବ ଦୂର କରିବାକୁ ଆଇଜିଆର୍ ଦୀର୍ଘ ଦିନରୁ ସରକାରଙ୍କୁ କୈଫିୟତ ମାଗିଥିଲେ ବି ରାଜସ୍ବ ବିଭାଗ ଚୁପ୍ ବସିଛି ।