୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ନେବ ପ୍ରମୁଖ ଭୂମିକା  

1 min read

ବ୍ୟୁରୋ ରିପୋର୍ଟ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ନେବ ପ୍ରମୁଖ ଭୂମିକା । ସାରା କ୍ରୀଡ଼ା ଜଗତର ଦୃଷ୍ଟି ଆକର୍ଷଣ କରୁଛି ଓଡ଼ିଶା । ହକି ପରେ ଏବେ ଓଡ଼ିଶାର ଇନଡୋର ଆଥଲେଟିକ୍‌ ଷ୍ଟାଡିୟମକୁ ନେଇ ବିଶ୍ବରେ ଚର୍ଚ୍ଚା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ । ଦୁଇଦୁଇ ଥର ହକି ବିଶ୍ବକପ୍, ଏସିଆନ ଆଥଲେଟିକ ଚମ୍ପିୟନସିପ୍, ଅନେକ ଜାତୀୟ, ଅନ୍ତଜାର୍ତୀୟ କ୍ରୀଡ଼ାର ସଫଳ ଆୟୋଜନ ସ୍ଥାନ ହୋଇଛି କଳିଙ୍ଗ ଷ୍ଟାଡିୟମ । ଏବେ ବିଶ୍ବସ୍ତରୀୟ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ ହେବା ପରେ ଭାରତ ଅଲିମ୍ପିକ୍ସ ପାଇଁ ଦାବିଦାର ରହିଛି । ଭୁବନେଶ୍ବର ହୋଷ୍ଟ ସିଟି ହେବାର ସମ୍ଭାବନା ବଢ଼ିଛି ।

ବିଶ୍ବକ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ ନିର୍ମାଣରେ ଓଡ଼ିଶା କେବଳ ଦେଶରେ ନୁହେଁ, ସାରା ଦକ୍ଷିଣ ଏସିଆରେ ପ୍ରଥମ । ସୋସିଆଲ ମିଡିଆରେ ଫାଇଭ-ଟି ସଚିବ ଭି. କେ ପାଣ୍ଡିଆନ ଏହାର ଫଟୋ ସେୟାର କରିବା ପରେ କ୍ରୀଡ଼ା ବିଭାଗ ମଧ୍ୟ ଟ୍ବିଟରରେ ଫଟୋ ସେୟାର କରିଛି । ଆଥଲେଟିକ୍‌ ଇନଡୋର ଷ୍ଟାଡିୟମକୁ ଓଡ଼ିଶାର ଜାଭେଲିନ ହିରୋ ତଥା ସିଲଭର ବୟ କିଶୋର ଜେନାଙ୍କୁ ବୁଲାଇ ଦେଖାଇଛନ୍ତି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟ ହେବ । ଆଥଲେଟିକର ବିକାଶ  ଆହୁରି ତ୍ବରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ ।

କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ିହୋଇଛି ୧୨୦ କୋଟି ଟଙ୍କାରେ ନିର୍ମିତ ଇନଡୋର ଆଥଲେଟିକ୍‌ ଷ୍ଟାଡିୟମ । ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ବିନା ବାଧାରେ ଆୟୋଜନ ହୋଇପାରିବ ବୋଲି ଅଲିମ୍ପିଆନ ଓ କ୍ରୀଡ଼ା ସମୀକ୍ଷକ କହିଛନ୍ତି ।…

ଇନଡୋର ଆଥଲେଟିକ୍ ଷ୍ଟାଡିୟମ ଆଥଲେଟମାନଙ୍କ ସାମଗ୍ରିକ ବିକାଶ ପାଇଁ ଏକ ପ୍ରମୁଖ ଉତ୍ସ ପାଲଟିବ । ଦୁଇ ଦୁଇ ଥର ହକି ବିଶ୍ବକପ୍, ଏସିଆନ ଆଥଲେଟିକ୍ ଚମ୍ପିଅନସିପ୍, ନ୍ୟାସନାଲ ଆକ୍ୱାଟିକ ଚାମ୍ପିୟନସିପ୍ ଭଳି ଅନ୍ତର୍ଜାତୀୟ ଇଭେଣ୍ଟ ସଫଳତାର ସହ ଆୟୋଜନ କରିବାର ଅଭିଜ୍ଞତା ରଖିଥିବା କଳିଙ୍ଗ ଷ୍ଟାଡିଅମ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ।