ଆହୁରି ମହଙ୍ଗା ହେଲା ଓମଫେଡ କ୍ଷୀର, ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କୁ ସୁଲଭ ମୂଲ୍ୟରେ ଦୁଗ୍ଧ ଯୋଗାଇବାର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଉଛି ଓମଫେଡ । ଆହୁରି ମହଙ୍ଗା ହୋଇଛି ଓମଫେଡ କ୍ଷୀର । ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ କ୍ଷୀର ଦାମ୍ ୨ ଟଙ୍କା ବୃଦ୍ଧି କରିଛି । ଅର୍ଥାତ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟରରେ କମ୍ପାନୀ ୨ ଟଙ୍କା ବୃଦ୍ଧି କରିଥିବା ବେଳେ ଓମଫେଡ ଗୋଲ୍ଡ କ୍ଷୀର ଲିଟରରେ ୪ ଟଙ୍କା ବୃଦ୍ଧି କରାଯାଇଛି । ନୂଆ ଦାମ୍ ବୃଦ୍ଧି ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ଗୋଖାଦ୍ୟ ଦର ନିୟନ୍ତ୍ରଣ ସହିତ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ସାମଗ୍ରୀ ଦେବା ପାଇଁ ଦାବି କରିଛି ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘ ।
ଚାଷୀ ପାଉନି ବୃଦ୍ଧି ଟଙ୍କା, ଗ୍ରାହକ କିନ୍ତୁ ଏଣିକି ଗଣିବେ ଅଧିକ ଟଙ୍କା । ବହଳିଆ ଚାହା ପିଇଲେ ଗଣିବାକୁ ପଡିବ ଅଧିକ ଅର୍ଥ । ଏଥର ୫ ଟଙ୍କା ନୁହେଁ, ଚାହା କପ ପଡିବ ୬ ଟଙ୍କା । ରସଗୋଲା ହେଉକି ରାବିଡି, ପନିର ହେଉକି ଛେନା ଗ୍ରାହକଙ୍କ ଅଧିକ ଖାଲି ହେବ ପକେଟ । କାରଣ ଓମଫେଡ ବଢାଇଛି କ୍ଷୀର ଦର । ଓମଫେଡ ପକ୍ଷରୁ ପ୍ରିମିୟମ୍ ଓ ଟୋନଡ କ୍ଷୀର ଏବେ ପ୍ରତି ଲିଟର ପିଛା ୨ ବୃଦ୍ଧି କରୁଥିବା ବେଳେ ଗୋଲ୍ଡ କ୍ଷୀରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଛି । ତେବେ ସଂଶୋଧିତ ଦର ଅନୁସାରେ, ୧ ଲିଟର ଟୋନଡ କ୍ଷୀର ଏବେ ୫୦ ଟଙ୍କା, ପ୍ରିମିୟମ୍ କ୍ଷୀର ୫୪ ଟଙ୍କା ଏବଂ ଗୋଲ୍ଡ କ୍ଷୀରର ଦାମ୍ ୬୦ ଟଙ୍କା ହୋଇଛି । ଫଳରେ ଆଗକୁ ଅନ୍ୟ ଦୁଗ୍ଧଜାତ ସାମଗ୍ରୀର ଦର ଦାମ ବଢିବା ନିଶ୍ଚିତ ।
ରାଜ୍ୟ ହେଉ କି କେନ୍ଦ୍ର ସରକାର କର୍ମଚାରୀଙ୍କ ଡିଏ ହେଉ କି ପେନସନ ବଢାଇ କ୍ରେଡିଟ ନିଅନ୍ତି । ଚାଷୀ ପାଇଁ ଟଙ୍କା ବୃଦ୍ଧି କରିବା ସରକାରଙ୍କ ପାଇଁ ବୋଝ ହୋଇଯାଉଛି । ଜୁନ ୧ ତାରିଖରେ ରାଜ୍ୟ ସରକାର ଚାଷୀଙ୍କ ଲାଗି ୩ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିଲେ ବି ଏବେ ବି ଚାଷୀଙ୍କୁ ଟଙ୍କା ମିଳିନି । କିନ୍ତୁ ଗ୍ରାହକଠାରୁ ୨ ଟଙ୍କା ଲିଟର ପିଛା ଟଙ୍କା ନେଇ ଗଲେ । ଯାହାକୁ ନେଇ ଓଡିଶା ଦୁଗ୍ଧ ଚାଷୀ ମହାସଙ୍ଘ ପ୍ରଶ୍ନ ଉଠାଇଛି । କେବଳ କ୍ଷୀର ଦର ବଢାଇଲେ ଚଳିବନି । ଏବେ ବଜାର ଦର ଓ ଗୋଖାଦ୍ୟ ଦର ବଢୁଥିବା ବେଳେ ତାକୁ ନିୟନ୍ତ୍ରଣ କରିବା ଦରକାର । ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନରେ ରକ୍ତହୀନତା ଓ କୁପୋଷଣ ଦୂର କରିବା ପାଇଁ ଦୁଗ୍ଧ, ପନିର ଓ ମିଲ୍କ ପାଉଡର ସରକାର ବଣ୍ଟନ କରିବାକୁ ସଂଘ ଦାବି କରିଛି ।