ଜାନୁଆରୀକୁ ଗମ୍ଭୀର ସ୍ଥିତି ଆଣିପାରେ ଓମିକ୍ରନ

ନୂଆଦିଲ୍ଲୀ: ଓମିକ୍ରନ ଟାର୍ଗେଟରେ ଜାନୁଆରୀ । ଏହି ମାସରେ ସାରା ବିଶ୍ବରେ ଗଭୀର ସଙ୍କଟର କାରଣ ହୋଇପାରେ ଓମିକ୍ରନ । ବ୍ରିଟେନରେ ଗୋଟିଏ ଦିନରେ 78 ହଜାର 610 କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି 10 ହଜାରରେ । ସ୍ଥିତି ଦିନକୁ ଦିନ ବିପର୍ଯ୍ୟୟ ଆଡକୁ ଗତି କରୁଛି । ଜାନୁଆରୀ ବେଳକୁ ସ୍ଥିତି ଅତି ଗମ୍ଭୀର ହୋଇପାରେ ।

ବର୍ତ୍ତମାନ ସୁଦ୍ଧା 11 ନିୟୁତ ଲୋକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଲେଣି 1 ଲକ୍ଷ 46 ହଜାରରୁ ଅଧିକ ଲୋକ । ଏଥିଲାଗି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ । ସ୍ବାସ୍ଥ୍ୟ ମନ୍ତ୍ରୀ ଜେନି ହାରିସ୍ କହିଛନ୍ତି ଆଗକୁ ଓମିକ୍ରନ ଏକ ଗୁରୁତର ସଙ୍କଟର କାରଣ ହେବାକୁ ଯାଉଛି ।

ୟୁରୋପୀୟ ରାଷ୍ଟ୍ର ସଂଘରେ ବି ଆସନ୍ତା ଜାନୁଆରୀ ମଧ୍ୟଭାଗରେ ଆତଙ୍କ ଖେଳାଇପାରେ ଓମିକ୍ରନ । ୟୁରୋପର 27ଟି ରାଷ୍ଟ୍ରରେ ଓମିକ୍ରନ ବ୍ୟାପିବାରେ ଲାଗିଥିବାରୁ ସତର୍କ କରାଇଛନ୍ତି ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଲେୟେନ । ଆଗକୁ ଖ୍ରୀଷ୍ଟମାସ ଆସୁଥିବାବେଳେ ସତର୍କ ନରହିଲେ ସ୍ଥିତି ବିପନ୍ନ ହେବା ଆଶଙ୍କା ରହିଥିବା ସେ କହିଛନ୍ତି ।

ଭାରତରେ ବି ଓମିକ୍ର୍ରନକୁ ନେଇ ସ୍ଥିତି ଗମ୍ଭୀର ହୋଇପାରେ । ଜାନୁଆରୀରେ ମହାରାଷ୍ଟ୍ରରେ ଓମିକ୍ରନ ନିଜର କାୟା ବିସ୍ତାର କରିବ ବୋଲି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ପ୍ରଦୀପ ବ୍ୟାସ । କୋଭିଡ କାଳରେ ମହାରାଷ୍ଟ୍ରରେ ଅଶେଷ କ୍ଷତି ସାଧନ କରିଥିଲା ଭାଇରସ । ଠିକ୍ ସେପରି ଓମିକ୍ରନ ବି ପରିବ୍ୟାପ୍ତ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ମହାରାଷ୍ଟ୍ରରୁ ସର୍ବାଧିକ 32 ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୭୦ରେ ପହଞ୍ଚିଛି ।

Leave a Reply