ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର: ସୀମା ଟପୁଛି ଅତ୍ୟାଚାର, ଗଡୁଛି ମୁଣ୍ଡ

ଭୁବନେଶ୍ବର: ସୁଧାର ଗୃହରେ ସୀମା ଟପୁଛି ଅତ୍ୟାଚାର । ଯାଉଛି ଜୀବନ । ନିଶା ଛାଡିବା ଆଶାରେ ଯାଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ବରର ଧଉଳି ଥାନା ଅଞ୍ଚଳରେ ଥିବା ‘ସ୍ୱୀକାର’ ନାମକ ନିଶା ନିବାରଣ କେନ୍ଦ୍ରରେ ପ୍ରାଣ ହରାଇଛନ୍ତି ଅନ୍ତେବାସୀ ବିକ୍ରମ ଲେଙ୍କା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ଘଟଣାର ତଦନ୍ତ ଆରମ୍ଭ ।

ନିୟନ୍ତ୍ରଣରେ ନାହିଁ ନିଶା ନିବାରଣ କେନ୍ଦ୍ର । ଏସ୍ଓପି, ଗାଇଡଲାଇନ ଓ ସିସିଟିଭିକୁ ନେଇ ଅନେକ ପ୍ରଶ୍ନ । ଶିଶୁଭବନ ଛକ ନିକଟ ଝରଣାସାହିର ଅଞ୍ଚଳର ୪୯ ବର୍ଷୀୟ ଯୁବକ କାଳୁ ନାୟକ । ଅତ୍ୟଧିକ ନିଶା ସେବନ କରିବାରୁ ୩ ମାସ ତଳେ ଧଉଳି ଥାନା ଅନ୍ତର୍ଗତ ‘ସ୍ୱୀକାର’ ନାମକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । କିନ୍ତୁ ହଠାତ ପରିବାର ଲୋକ ଗତକାଲି ତାଙ୍କର ମୃତ୍ୟୁ ଖବର ପାଇଥିଲେ । ଶରୀରରେ ଦାଗ ଥିବାରୁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଧଉଳି ଥାନା ପକ୍ଷରୁ ଯାଞ୍ଚ କରାଯାଇଥିବାବେଳେ ନିଜେ ଥାନାଧିକାରୀ ସିସିଟିଭି ତଦାରଖ କରିବା ସହ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସ ଅପେକ୍ଷା କରିଥିବା ବେଳେ ସଂସ୍ଥା ମାଲିକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନଜିଓ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଛତୁ ଫୁଟିବା ଭଳି ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି । ଠିକ୍ ସମୟରେ ଏସବୁର ତଦାରଖ ମଧ୍ୟ ହେଉ ନାହିଁ । ଅନଭିଜ୍ଞ କର୍ମଚାରୀ ଓ ସୁରକ୍ଷାରେ ଅଭାବ ଓ ସିସିଟିଭି ବ୍ୟବହାରକୁ ଗୁରୁତ୍ୱ ଦିଆଯାଉ ନାହିଁ । କିଛିଦିନ ତଳେ ଧଉଳି ଥାନା ଅନ୍ତର୍ଗତ ସରଦେଇପୁରଠାରେ ଥିବା ‘ଶ୍ରଦ୍ଧା’ ନିଶା ନିବାରଣ ଗୃହ ବିରୋଧରେ ସମାନ ଅଭିଯୋଗ ଆସିଥିଲା । ଏହା ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା ସାଇକୃପା ଡିଆଡିକ୍ସନ ସେଣ୍ଟରରେ ସର୍ବେଶଷ୍ବର ବେହେରାଙ୍କୁ ପିଟି ପିଟି ମାରିବା ଘଟଣାରେ ୩ ଜଣ ଗିରଫ ହୋଇଥିଲେ । ପୂର୍ବରୁ ପାଣ୍ଡରା ଅଞ୍ଚଳରେ ଥିବା କୃପା ଫାଉଣ୍ଡେସନ ଓ ଉତ୍ତରାରେ ଥିବା ଦିଶା ଫାଉଣ୍ଡେସନରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ପରିବାର ।

ନିବାରଣ ନାଁରେ ନିର୍ଯାତନା ଦେଉଥିବା କିଛି ସଂସ୍ଥାକୁ ବ୍ଲାକଲିଷ୍ଟ କରିବା ସହ ସଂସ୍ଥା ମୁଖ୍ୟଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କଲେ ଏସବୁ ଘଟଣା ସାମ୍ନାକୁ ଆସନ୍ତା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।