ଦୁଶ୍ଚିନ୍ତା ଓ ମାନସିକ ଚାପ ନେଉଛି ଭାରତୀୟଙ୍କ ଜୀବନ, ପ୍ରତି ତିନି ଜଣରେ ଜଣେ ଆକ୍ରାନ୍ତ

ଭୁବନେଶ୍ବର: ଜୀବନ ନେଉଛି ହାଇପର ଟେନସନ୍ । ଦେଶରେ ଅଧାରୁ ଅଧିକ ବ୍ୟକ୍ତି ରକ୍ତଚାପରେ ପୀଡ଼ିତ । ଏପରି ରିପୋର୍ଟ ଦେଇଛନ୍ତି ଆଇସିଏମ୍ଆର୍ ଓ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ । ହୃଦରୋଗ, ମଧୁମେହ ରୋଗରେ ଅକାଳରେ ଝରିପଡ଼ୁଛି ଜୀବନ । ରିପୋର୍ଟ ଅନୁଯାୟୀ ପ୍ରତି ୩ ଜଣରେ ଜଣେ ବ୍ୟକ୍ତି ପ୍ରାକ୍ ହାଇପରଟେନ୍ସନ୍ ରୋଗରେ ପୀଡ଼ିତ । ବିଶେଷଜ୍ଞଙ୍କ ମତରେ ମାନସିକ ଚାପ, ଖାଦ୍ୟରେ ଅତ୍ୟଧିକ ଲୁଣ ସେବନ, ଜଙ୍କ ଫୁଡ୍, ଶାରୀରିକ ପରିଶ୍ରମ ନକରିବା ଯୋଗୁଁ ଯୁବକଯୁବତୀ ବି ରକ୍ତଚାପ ରୋଗରେ ପଡୁଛନ୍ତି ।

ଭାରତୀୟ ଖାଦ୍ୟରେ ଅଧିକ ଲୁଣ ଖାଇବାରୁ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ହୃଦରୋଗର ଶିକାର ହେଉଛନ୍ତି । ପ୍ରତି ୩ ଜଣ ବ୍ୟକ୍ତିରେ ଜଣେ ପ୍ରାକ୍ ହାଇପରଟେନ୍ସନ୍ ରୋଗରେ ପୀଡିତ । ଏଭଳି ରିପୋର୍ଟ ଦେଇଛି ଇଣ୍ଡିଆନ୍ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମ୍ଆର୍ । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଭୁବନେଶ୍ବର ଦ୍ବାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି, ଦେଶର ମହିଳାଙ୍କ ସଂଖ୍ୟାରୁ ୨୧.୩ ପ୍ରତିଶତ ଓ ପୁରୁଷଙ୍କ ଭିତରୁ ୨୪ ପ୍ରତିଶତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ଫଳରେ ଅନିୟନ୍ତ୍ରିତ ଓ ଡାୟୋଗ୍ନଷ୍ଟିକ୍ ନହୋଇ ହୃଦରୋଗ ଓ ମଧୁମେହ ରୋଗରେ ଅଧିକାଂଶ ଲୋକଙ୍କ ଜୀବନ ଯାଉଛି । ଏପରିକି ଅକାଳରେ ଯୁବକଯୁବତୀ ବି ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି । ଲୁଣ ମାତ୍ରା ଶରୀରରେ ଅଧିକ ହେଲେ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ । ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ୧୮ରୁ ୫୪ ବର୍ଷ ବୟସ ଭିତରେ ୭ ଲକ୍ଷ ୪୩ ହଜାର ୬୭ ଜଣ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ସେମାନେ ସମସ୍ତେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ମାନସିକ ଚାପ, ଜଙ୍କ୍ ଫୁଡ ଏଥିପାଇଁ ଦାୟୀ । ଏହାସହ ଆଜିକାଲି ଅଧିକାଂଶ ଲୋକ ଶାରୀରିକ ପରିଶ୍ରମ କରୁନାହାନ୍ତି । ଯାହା ବଡ଼ ସମସ୍ୟା ହୋଇ ଉଭା ହୋଇଛି ।

ଯେଉଁ ବ୍ୟକ୍ତିର ରକ୍ତଚାପ ସିଷ୍ଟୋଲିକ୍ ପ୍ରେସର୍ ୧୩୦ରୁ ୧୩୯ ଓ ଡାୟୋଷ୍ଟୋଲିକ୍ ପ୍ରେସର୍ ୮୦ରୁ ୮୯ ଭିତରେ ରହୁଛି । ସେ ପ୍ରାକ୍ ହାଇପରଟେନ୍ସନରେ ପୀଡ଼ିତ । ଏହାସହିତ ବରା, ପିଆଜି, ଫାଷ୍ଟଫୁଡ, ସୋଡିୟମ କ୍ଲୋରାଇଡ ଯୁକ୍ତ ପ୍ରକ୍ରିୟାକୃତ ଖାଦ୍ୟ ଏସବୁ ରୋଗର କାରଣ ବନୁଛି । ସୁସ୍ଥ ଜୀବନ ପାଇଁ ଜଣେ ବ୍ୟକ୍ତି ଦିନ ଭିତରେ ମାତ୍ର ୫ ମିଲିଗ୍ରାମ ବା ଗୋଟିଏ ଚା ଚାମୁଚ ପରିମାଣର ଲୁଣ ଖାଇବା ଦରକାର । କିନ୍ତୁ ଆଜିକାଲି ଦିନ ଭିତରେ ୧୫ ମଲିଗ୍ରାମ ଲୁଣ ଲୋକେ ଖାଉଛନ୍ତି । ଯେଉଁଥିପାଇଁ ସାମାନ୍ୟ ମାନସିକ ଚାପଗ୍ରସ୍ତ ହେଲେ ରକ୍ତଚାପରେ ପୀଡ଼ିତ ହେଉଛନ୍ତି । ଏପରି ଲାଇଫଷ୍ଟାଇଲ୍କୁ ବଦଳାଇବାକୁ ପଡ଼ିବ । ସ୍କୁଲ ପିଲାମାନେ ବାହାରକୁ ଆସିଲେ ଆଜିନୋମୋଟୋ ମିଶ୍ରିତ ଖାଦ୍ୟ ସହିତ ବଜାରରେ ମିଳୁଥିବା ଅସନ୍ତୁଳିତ ଖାଦ୍ୟ ପ୍ରତି ଆକୃଷ୍ଟ ହେଉଛନ୍ତି । ଏସବୁ ଖାଦ୍ୟ ଶରୀରରେ କୋମରବିଡିଟି ବୃଦ୍ଧି କରିବାରେ ସହାୟକ ହେଉଛି ।

ରକ୍ତଚାପ ସହିତ ଭାରତରେ ଦିନକୁ ଦିନ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଗୋଟିଏ ପରିସଂଖ୍ୟାନରୁ ଜଣାପଡ଼ିଛି ଦେଶର ୭୦ ପ୍ରତିଶତ ଲୋକ ଏହି ରୋଗରେ ପୀଡ଼ିତ । ଯାହାକି ସ୍ଲୋ ପଏଜନ୍ ପରି ଜୀବନ ନେଉଛି ।