ନୂଆ ସରକାରରେ ଚାଲିଛି କଣ ? ବିଦ୍ୟୁତ ସଂଯୋଗୀକରଣ ପାଇଁ ଖୋଲାଖୋଲି ଲାଞ୍ଚ ମାଗୁଛନ୍ତି ଅଧିକାରୀ । ୧ ଲକ୍ଷ ଟଙ୍କା ଦେଲେ ଗାଁକୁ ଯିବ ବିଦ୍ୟୁତ । ନଚେତ ଗାଁରେ ଜଳିବନି ବିଜୁଳି ଆଲୁଅ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତ ତରବଙ୍ଗ ଗାଁରୁ । ତରବଙ୍ଗ ଗାଁରେ ଶହେରୁ ଉର୍ଦ୍ଧ୍ଵ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି । କିନ୍ତୁ ଏଯାଏଁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଫଳରେ ସନ୍ଧ୍ୟା ହେଲେ ଘନ ଅନ୍ଧକାର ଭିତରେ ବିତାଇବାକୁ ପଡୁଛି ଜୀବନ ।
ଜିଲ୍ଲା ସଦରମହକୁମା ଠାରୁ ୧୧୦ କିଲୋମିଟର ଦୂରରେ ପାହାଡ ଜଙ୍ଗଲ ଘେରା ପରିବେଶ ମଧ୍ୟରେ ଅବସ୍ଥିତ ତରବଙ୍ଗ ଗାଁ । ଗାଁରେ ସରକାରଙ୍କ ପକ୍ଷରୁ ପାଣି ଟାଙ୍କି ବସିଛି କିନ୍ତୁ ପାଣି ଉଠାଇବା ମଟରକୁ ବିଜୁଳି ସଂଯୋଗ ନାହିଁ । ସେହିଭଳି ସ୍ମାର୍ଟ ସ୍କୁଲକୁ ବିଦ୍ୟୁତ ସଂଯୋଗୀକରଣ ହୋଇନଥିବାରୁ ଏଲିଇଡି ଜରିଆରେ ପିଲା ପାଠ ବି ପଢିପାରୁନାହାନ୍ତି । ପୂର୍ବ ସରକାରଙ୍କ ସମୟରେ ଗାଁରେ ସୋଲାର ପ୍ୟାନେଲ ବସାଯାଇ ସମସ୍ତ ଘରକୁ ଆଲୁଅ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ସୋଲାର ପ୍ୟାନେଲଟି ଖରାପ ହୋଇଯିବାରୁ ବିଦ୍ୟୁତ ଯୋଗାଣ ଠପ ହୋଇପଡିଛି । ସମସ୍ୟା ସଂପର୍କରେ ଗ୍ରାମବାସୀ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ । ଅନ୍ୟପଟେ ଗାଁକୁ ବିଦ୍ୟୁତ ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଏପଟେ ଗାଁକୁ ଯଥାଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ତରବଙ୍ଗ ଗାଁକୁ କେବେ ମିଳିବ ବିଜୁଳି ସଂଯୋଗ ? ଗାଁକୁ ସରକାର ବିନା ହାତଗୁଞ୍ଜାରେ ବିଜୁଳି କନେକ୍ସନ ଦେବେ ନା ନାହିଁ ? ନା ପ୍ରଶାସନର ପ୍ରତିଶୃତି ପାଣିର ଗାର ପାଲଟୁଛି ତାହା ଉପରେ ରହିବ ସମସ୍ତଙ୍କ ନଜର ।

