ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । ୪୦ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷୟିତ୍ରୀ । ଗୋଟିଏ କ୍ଲାସ ରୁମରେ ଚାଲିଛି ପାଠପଢା । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଉଁଶପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭାବନୀୟ ଚିତ୍ର । ସ୍କୁଲରେ ଶିଶୁ ବାଟିକାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଛି । ହେଲେ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟିତ୍ରୀ ଅଛନ୍ତି । ସେ ପୁଣି ପ୍ରଧାନ ଶିକ୍ଷକଙ୍କ ଦାୟିତ୍ଵରେ ରହିଛନ୍ତି । ଶିକ୍ଷକଙ୍କ ଅଭାବରୁ ଗୋଟିଏ ଶ୍ରେଣୀରେ ସମସ୍ତ କ୍ଲାସର ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢାଉଛନ୍ତି ଶିକ୍ଷୟିତ୍ରୀ । ଫଳରେ ପାଠପଢାରେ ସମସ୍ୟା ଉପୁଜୁଛି । ଯାହାକୁ ନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବାଉଁଶପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୂର୍ବରୁ ଆଉ ଜଣେ ଶିକ୍ଷୟିତ୍ରୀ ଥିଲେ । ତାଙ୍କର ଅନ୍ୟତ୍ର ବଦଳି ହୋଇ ଯିବାରୁ ଅଗଷ୍ଟ ମାସରୁ ଖାଲି ପଡ଼ିଛି ଶିକ୍ଷକଙ୍କ ପଦବୀ । ଶିକ୍ଷକଙ୍କ ଅଭାବରୁ ଅନ୍ୟ ବିଦ୍ୟାଳୟ ଗୃହରେ ତାଲା ଝୁଲୁଛି । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପିଲାମାନଙ୍କୁ ଅଭିଭାବକ ବି ଛାଡୁନାହାନ୍ତି । ଖାଲି ଏହି ଗୋଟିଏ ବିଦ୍ୟାଳୟ ନୁହେଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏଭଳି ଶିକ୍ଷକଙ୍କ ଅଭାବ ରହିଛି । ହେଲେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହେବ ବୋଲି ପ୍ରତିଶୃତି ଦେଇଛନ୍ତି ବ୍ଲକ ଶିକ୍ଷାଧିକାରୀ ।

