ଉତ୍ସବର ମାହୋଲରେ ପିଆଜ ଦରରେ ଲାଗୁନି ବ୍ରେକ୍, କେଜି ପ୍ରତି ହୋଲସେଲ ଦର ୮୦ଟଙ୍କା

ନୂଆଦିଲ୍ଲୀ: କନ୍ଦାଉଛି ପିଆଜ । ଲଗାତର ବଢିଚାଲିଛି ପିଆଜ ଦର। ଦୁର୍ଗାପୂଜା ସରିଥିବାବେଳେ ଆଗକୁ ଦୀପାବଳି । ଉତ୍ସବର ମାହୋଲ ଚାଲିଥିବାବେଳେ ପିଆଜ ଦରରେ ଲାଗୁନି ବ୍ରେକ୍ । ଦିଲ୍ଲୀ ଏନସିଆରରେ ପିଆଜ କେଜି ପ୍ରତି ହୋଲସେଲ ଦର ୮୦ଟଙ୍କା ରହିଛି । ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ପିଆଜ ଦର ବୃଦ୍ଧି ପାଇବା ଆଶଂକା କରାଯାଉଛି । ଖରିଫ ଋତୁରେ ଚାଷ ହୋଇଥିବା ପିଆଜ ବଜାରକୁ ଆସିବା ପରେ ଦର କମିବା ସମ୍ଭାବନା ରହିଛି ।

ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପିଆଜ ଦର କେଜି ପ୍ରତି ୧୦୦ଟଙ୍କା ପହଞ୍ଚିପାରେ। ଦୁର୍ଗାପୂଜା ପର ଠାରୁ ପିଆଜ ଦର ଅହେତୁକ ଭାବେ ବଢି ଚାଲିଛି । କେବଳ ଦିଲ୍ଲୀ ନୁହେଁ ସାରା ଦେଶରେ ପିଆଜ ଦର ବଢ଼ି ଚାଲିଛି । ଦର ଅଧିକ ରହୁଥିବାରୁ ମଣ୍ଡିରେ ପିଆଜ ବିଭିନ୍ନ ରାଜ୍ୟକୁ ରପ୍ତାନୀ ପୂର୍ବାପେକ୍ଷା କମ ରହିଛି । ପିଆଜର ୫ କେଜି ଦର ଆଜି ୩୫୦ ଟଙ୍କା ରହିଛି ।

ଗତକାଲି ଏହି ଦର ୩ଶହ ଥିବାବେଳେ ସପ୍ତାହକ ପୂର୍ବରୁ ଏହି ଦର ୨ଶହ ଟଙ୍କା ଥିଲା । ସେହିପରି କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପିଆଜ ଦର ବଢି ଚାଲିଛି । ବେଙ୍ଗାଳୁଲୁର ଯଶୱନ୍ତପୁରରେ ପିଆଜ କେଜି ପ୍ରତି ୬୫ରୁ ୭୦ ଟଙ୍କା ରହିଛି । ବେଙ୍ଗଳୁରୁରେ ଥିବା ପିଆଜ ଗୋଦାମକୁ ପ୍ରତିଦିନ ୫ଶହରୁ ହଜାରେ ଟ୍ରକ ଆସୁଥିଲା । କିନ୍ତୁ ପିଆଜ ବିକ୍ରି ଏବେ ମାତ୍ର ଶହେ ଟ୍ରକକୁ ଖସିଯାଇଛି । ମୁମ୍ବାଇରେ ପିଆଜ ଦର ହୋଲସେଲରେ ୫୦ ଟଙ୍କା ପ୍ରତି କେଜି ରହିଛି ।ଖୁଚୁରା ବଜାରରେ ପିଆଜ ଦର ୮୦ ଟଙ୍କା ରହିଛି । ହୋଲସେଲ ଦର ୬୦ ଟଙ୍କା ପର୍ଯ୍ୟନ୍ତ ବଢିବା ସମ୍ଭାବନା ଥିବାରୁ ଖୁଚୁରା ବଜାରରେ ପିଆଜ କେଜି ପ୍ରତି ଶହେ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।