ଅନଲାଇନ୍ ଗେମିଂ ବିଲ୍ ୨୦୨୫: ଫାଣ୍ଟାସି କ୍ରିକେଟକୁ ଝଟକା, ନୂଆ ବିଲ ପରେ ସ୍ପନସରସିପ୍ ଦୁନିଆରେ ଝଡ଼
1 min read
ନନ୍ଦିଘୋଷ ବ୍ୟୁରୋ: ସଂସଦରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଆଗତ ହୋଇଛି । ଏହା ଭାରତରେ ଦ୍ରୁତଗତିରେ ବଢୁଥିବା ଗେମିଂ ଇଣ୍ଡଷ୍ଟ୍ରି ପାଇଁ ଐତିହାସିକ ସାବ୍ୟସ୍ତ ହୋଇପାରେ । ଗୋଟିଏ ପଟେ ଏହି ବିଲ ଇ-ସ୍ପୋର୍ଟ୍ସ ଓ ସୋସିଆଲ ଗେମିଂକୁ ନୂଆ ଷ୍ଟାଟସ ଦେବ ବୋଲି ଦାବି କରାଯାଉଥିବା ବେଳେ ଫାଣ୍ଟାସି ଓ ରିୟଲ ମନି ଗେମିଂ ପ୍ଲାଟଫର୍ମର ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି ।
ମନି ଗେମିଂ ପାଇଁ କଠୋର ଆଭିମୁଖ୍ୟ
ବିଲରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ବ୍ୟକ୍ତି କି ସଂସ୍ଥା ଅନଲାଇନ ମନି ଗେମିଂ ସର୍ଭିସ ଦେଇପାରିବେନାହିଁ । କୌଣସି ବ୍ୟାଙ୍କ କି ଆର୍ଥିକ ସଂସ୍ଥା ନେଣଦେଣ ପାଇଁ ଅନୁମତି ଦେବେ ନାହିଁ । ଯେଉଁମାନେ ଏହାର ଉଲ୍ଲଂଘନ କରିବେ ସେମାନଙ୍କୁ ୩ ବର୍ଷ ଜେଲ ସହ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ବିଜ୍ଞାପନ କରୁଥିବା ବ୍ୟକ୍ତିଙ୍କ ଉପରେ ବି ହେବ କଠୋର କାର୍ଯ୍ୟାନୁଷ୍ଠାନ । ସେମାନଙ୍କୁ ଦୁଇ ବର୍ଷ ଜେଲ ସହ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ ।
୪୫ କୋଟି ଲୋକ ପ୍ରତିବର୍ଷ ହରାଉଛନ୍ତି ଟଙ୍କା
ସରକାରଙ୍କ ଅନୁସାରେ, ମନି ଗେମିଂ ସମାଜରେ ଗମ୍ଭୀର ଭାବେ ଆର୍ଥିକ ଓ ମାନସିକ ସ୍ଥିତି ସୃଷ୍ଟି କରୁଛି । ବିଶେଷ କରି ଗରିବ ଓ ଯୁବବର୍ଗ ଏଥିରେ ଫସି ସର୍ବଶ୍ବ ହରାଉଛନ୍ତି । ସରକାରୀ ଅନୁମାନ ଅନୁସାରେ ଦେଶରେ ପ୍ରାୟ ୪୫ କୋଟି ଲୋକ ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ମନି ଗେମିଂରେ ହାରୁଛନ୍ତି । ଫଳରେ ଗରିବ ଲୋକ ଋଣ ବୋଝରେ ବୁଡୁଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ଚିନ୍ତା, ମାନସିକ ବେମାରୀ ଓ ଆତ୍ମହତ୍ୟା ପରି ମାମଲା ବଢୁଛି । ଏହି କାରଣରୁ ସରକାର ସ୍ପଷ୍ଟ କରିଛନ୍ତି କି ଟ୍ୟାକ୍ସରୁ ହେଉଥିବା ରୋଜଗାର ଛାଡି ସମାଜସେବାକୁ ପ୍ରାଥମିକତା ଦିଆଯାଉଛି ।
କ୍ରିକେଟ ସ୍ପନସରସିପ ଉପରେ ବିପଦ
ଭାରତରେ କ୍ରିକେଟ ଏକ ଖେଳ ନୁହେଁ, ଏକ ବିଶାଳ ଇଣ୍ଡଷ୍ଟ୍ରି । ଏଥିରେ Drime11 ଓ My11Circle ଭଳି ପ୍ଲାଟଫର୍ମ ବଡ଼ ବଡ଼ ସ୍ପନସରସିପ କରିଛନ୍ତି । Drime11 ଟିମ ଇଣ୍ଡିଆର ଲାଇଟଲ ସ୍ପନସର ହେବାକୁ ୩୫୮ କୋଟି ଟଙ୍କା ଖର୍ଚ୍ଚ କରିଛି । My11Circle ତ IPL ଫାଣ୍ଟାସି ରାଇଟ୍ସ ନେବାକୁ ୬୨୫ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାବାଦ ଏକାଧିକ ଷ୍ଟାର କ୍ରିକେଟରଙ୍କ ନିଜ ଏଣ୍ଡ୍ରୋସମେଣ୍ଟ ଡିଲ୍ସ ମଧ୍ୟ ଏହି ପ୍ଲାଟଫର୍ମ ସହ ଜଡିତ । ଯଦି ମନି ଗେମିଂ ଉପରେ ବ୍ୟାନ ଲାଗିବ ତ ଏହି ସବୁ ସଂସ୍ଥା ଓ ଏମାନଙ୍କ ଏଗ୍ରିମେଣ୍ଟ ଉପରେ ସିଧା ପ୍ରଭାବ ପଡ଼ିବ ।
ସ୍ପୋର୍ଟ୍ସ ଲୟର ବିଦୁସ୍ପତ ସିଂଘାନିଆଙ୍କ ମତରେ ଏହାଦ୍ବାରା ଭାରତୀୟ କ୍ରିକେଟକୁ ନୂଆ ସ୍ପନସର ମିଳିଯିବେ । ହେଲେ ଖେଳାଳିଙ୍କ ବ୍ୟକ୍ତିଗତ ଚୁକ୍ତି ଓ ଫ୍ୟାନ ଏନଗେଜମେଣ୍ଟ ନିଶ୍ଚିତ କମିବ । ତାଙ୍କ ମତରେ ଫାଣ୍ଟାସି ଗେମିଂ କମ୍ପାନୀ ସବସ୍କ୍ରିପସନ ମଡେଲ ଆପଣାଇ ପାରିବେ । ହେଲେ ଏହାଦ୍ବାରା ସେମାନେ ବହୁ ପରିମାଣରେ ଅର୍ଥ ହରାଇବେ ।
ଇ-ସ୍ପୋର୍ଟ୍ସ ପାଇଁ ସୁବର୍ଣ୍ଣ ସୁଯୋଗ
ଏହି ବିଲ ଇ-ସ୍ପୋର୍ଟ୍ସ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି । ୨୦୨୩ ଏସିଆନ ଗେମ୍ସରେ ଇ-ସ୍ପୋର୍ଟ୍ସର ଏଣ୍ଟ୍ରି ହୋଇସାରିଛି । ୨୦୨୭ରେ ସାଉଦି ଆରବରେ ପ୍ରଥମ ଇ-ସ୍ପୋର୍ଟ୍ସ ଅଲମ୍ପିକ ବି ହେବାକୁ ଯାଉଛି । ସରକାର ସ୍ପଷ୍ଟ ଭାବେ କହିଛନ୍ତି ଇ-ସ୍ପୋର୍ଟ୍ସ ଓ ସୋସିଆଲ ଗେମିଂକୁ ଆଗକୁ ନେବାକୁ ବଜେଟ ସହ ଯୋଜନା ଅଣାଯିବ । ଏହାଦ୍ବାରା ନୂଆ ରୋଜଗାର ସୃଷ୍ଟି ହେବ ଓ ଭାରତ ଏହି ସେକ୍ଟରରେ ଏକ ବିଶ୍ବର ସବୁଠାରୁ ବଡ଼ ବଜାର ହୋଇପାରିବ ।
NODWIN Gaming ର ସହ ସଂସ୍ଥାପକ ଅକ୍ଷତ ରାଠି କହିଛନ୍ତି, ‘ସରକାରଙ୍କ ଏହି ପଦକ୍ଷେପ ଉତ୍ସାହଜନକ । ହେଲେ ଇ-ସ୍ପୋର୍ଟ୍ସ, ସୋସିଆଲ ଗେମିଂ ଓ ମନି ଗେମିଂର ପରିଭାଷା ସ୍ପଷ୍ଟ ହେବା ଦରକାର । ଯାହାଦ୍ବାରା ଯେମିତି କୌଣସି ଭ୍ରମ ସୃଷ୍ଟି ନହେବ ।’
କିଏ କରୁଛନ୍ତି ବିରୋଧ ?
ଅନଲାଇନ ଗେମିଂ ଇଣ୍ଡଷ୍ଟ୍ରି ସହ ଜଡିତ ସଙ୍ଗଠନ ଇଣ୍ଡିଆ ଗେମିଂ ଫେଡରେଶନ (AIGF), ଇ-ଗେମିଂ ଫେଡରେଶନ (EGF) ଓ ଫେଡରେଶନ ଅଫ୍ ଇଣ୍ଡିଆନ ଫ୍ୟାଣ୍ଟାସି ସ୍ପୋର୍ଟ୍ସ (FIFS) ତରଫରୁ ଗୃହମନ୍ତ୍ରୀ ମିତ ଶାହଙ୍କୁ ଚିଠି ଲେଖି ଏହାକୁ ବିରୋଧ କରାଯାଇଛି । ସେମାନେ କହିଛନ୍ତି, ଏହି ଇଣ୍ଟଷ୍ଟ୍ରିରେ ଭେଲ୍ୟୁ ୨ ଲକ୍ଷ କୋଟି ଟଙ୍କା । ପ୍ରତିବର୍ଷ ୩୧ ହଜାର କୋଟିରୁ ଅଧିକ ଟଙ୍କା ରେଭିନ୍ୟୁ ହେଉଛି । ପ୍ରତି ସେକ୍ଟର ପ୍ରତିବର୍ଷ ୨୦ ହଜାର କୋଟି ଟଙ୍କା ଟ୍ୟାକ୍ସ ଦେଉଛନ୍ତି । ଏହା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି । ସେମାନଙ୍କ ଯୁକ୍ତି ହେଲା ଏହି ବିଲ୍ ପାସ ହେଲେ ଏହି ସେକ୍ଟର ଠପ ହୋଇଯିବ ଓ ଲୋକଙ୍କ ଚାକିରି ଓ ରୋଜଗାର ଉପରେ ପ୍ରଭାବ ପଡ଼ିବ ।
ବିଲ ପାସ୍ ପରେ କ’ଣ ହେବ ?
* ଭାରତରେ ଚାଲବାଜ ଗେମିଂ ପ୍ଲାଟଫର୍ମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯିବ ।
* ଯୁବବର୍ଗଙ୍କୁ ଆର୍ଥିକ ଓ ମାନସିକ କ୍ଷତିରୁ ରକ୍ଷା କରିବାକୁ ଚେଷ୍ଟା କରାଯିବ ।
* ଇ-ସ୍ପୋର୍ଟ୍ସ ଓ ସୋସିଆଲ ଗେମିଂଙ୍କୁ ନୂଆ ସୁଯୋଗ ମିଳିବ ।
* ହେଲେ କ୍ରିକେଟ ଓ ଅନ୍ୟ ଖେଳର ସ୍ପନସରସିପ ଉପରେ ବଡ଼ ପ୍ରଭାବ ପଡ଼ିବ ।
ତେବେ ସରକାର ସ୍ପଷ୍ଟ କରି ଦେଇଛନ୍ତି କି ତାଙ୍କ ପ୍ରାଥମିକତା ରୋଜଗାର ନୁହେଁ, ବରଂ ସାମାଜିକ ସୁବିଧା । ଅର୍ଥାତ ଆଗାମୀ ଦିନରେ ଭାରତ ଇ-ସ୍ପୋର୍ଟ୍ସ ଦୁନିଆର ବାଦଶାହ ହେବାକୁ ଯାଉଥିବା ବେଳେ ରିୟଲ ମନି ଗେମିଂ ପ୍ଲାଟଫର୍ମର ଦିନ ଶେଷ ହେବାକୁ ଯାଉଛି ।