ସରକାରୀ ଚାକିରିଆଙ୍କୁ ଲାଗୁଛି ଝଟକା ପରେ ଝଟକା

ନନ୍ଦିଘୋଷ ବ୍ୟୁରୋ: ବର୍ଷେ ହେବ ସରକାରୀ ଚାକିରି ଆଶାୟୀଙ୍କୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି । ସରକାରକୁ ଆସିବା ପରେ ସରକାରୀ ଚାକିରି ମିଳିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଥିଲା । ହେଲେ ସରକାରକୁ ୧୩ ମାସ ବିତିବା ପରେ ଚାକିରି ପାଇଁ କେବଳ ବିଜ୍ଞପ୍ତି ପ୍ରକାଶ ପାଉଛି, ହେଲେ ପରିଚାଳନାରେ ଏପରି ଅନିୟମିତା ହେଉଛି ଯେ ପରୀକ୍ଷା ବାତିଲ ହେଉଛି । ଯାହା ଚାକିରି ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦେଲାଣି । ଏପରି ସରକାରୀ ଅପାରଗତାକୁ ବିରୋଧୀ ଟାର୍ଗେଟ କରିଥିବାବେଳେ ସରକାରଙ୍କ କହିଛନ୍ତି ଯେ ଆଗକୁ ସ୍ବଚ୍ଛତାର ସହ ପରୀକ୍ଷା କରାଯିବ ।
ଆରଆଇ, ଅମିନ ଚାକିରି ଆଶାୟୀ ଏବେ ଟେନସନରେ । ଅଗଷ୍ଟ ପହିଲାରୁ ଆରମ୍ଭ ହେବାକୁ ଥିବା ମୁଖ୍ୟ ପରୀକ୍ଷା ବାତିଲ ପରେ ସେମାନଙ୍କ ଆଶା ମଉଳି ଯାଇଛି । ୨୦୨୩ ଡିସେମ୍ବର ୨୯ରେ ୨୮୯୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରୁ ଆରଆଇ ୫୫୯, ଆଇସିଡିଏସ୍ ୪୯୮, ଏଆରଆଇ ୮୨୭, ଅମିନ ୬୮୬ ଓ ଏସଏଫଏସ୍ ପାଇଁ ୩୨୫ଟି ପଦବୀ ରହିଛି । ଏବେ ପୁଣି ପ୍ରିଲିମ ପରୀକ୍ଷା ନିଷ୍ପତ୍ତି ଯୋଗୁଁ ଚାକିରି ଆଶାୟୀମାନେ ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ ପଡ଼ିଛନ୍ତି । ସେହିପରି ଓଟିଇଟି ପରୀକ୍ଷା ବି ପ୍ରଶ୍ନପତ୍ର ଲିକରେ ବଳି ଚଢିଗଲା ।
ଗତ ବର୍ଷକ ଭିତରେ ଅନେକ ସରକାରୀ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ସରକାରୀ ପରିଚାଳନାରେ ଏତେ ତୃଟି ଦେଖା ଦେଲା ଯେ ପରୀକ୍ଷା ହୋଇପାରିଲା ନାହିଁ । ବ୍ୟାପକ ଅନିୟମିତତା ଯୋଗୁଁ ଫରେଷ୍ଟ ଗାର୍ଡ ପରୀକ୍ଷା ବାତିଲ ହେଲା । ଓପିଆରବି ଏସଆଇ ପରୀକ୍ଷା ହୋଇ ପାରିଲା ନାହିଁ । ଭୁଲ ପ୍ୟାଟର୍ଣ୍ଣ ପ୍ରଶ୍ନ ଯୋଗୁଁ ଅବକାରୀ ଓ ଟ୍ରାଫିକ ଏସଆଇ ପରୀକ୍ଷା ରଦ୍ଦ ହେଲା । ଓପିଏସସି ପରୀକ୍ଷାରେ ଭୁଲ ପ୍ରଶ୍ନ ଆସିଲା । ଆଶ୍ଚର୍ଯ୍ୟଜନକ ଭାବେ ଆଇଆରବି ବାଟାଲିୟନ ପରୀକ୍ଷାର ନିଯୁକ୍ତିପତ୍ର ମିଳିବା ସତ୍ତ୍ବେ ଏଯାଏଁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି ସରକାର । ବାରମ୍ବାର ଆଶାୟୀ ପରୀକ୍ଷାର୍ଥୀମାନେ ଆନ୍ଦୋଳନ କରୁଛନ୍ତି । ହେଲେ ବ୍ୟବସ୍ଥାରେ ସୁଧାର ନ ଆସିବାରୁ, ସେମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଯେଉଁ ଆଶା ନେଇ ବିଜେପି ସରକାରକୁ ଭୋଟ ଦିଆଯାଇଥିଲା, ତାହା ପୂରଣ ହେଉ ନଥିବା ଅଭିଯୋଗ କରିଛନ୍ତି ଆଶାୟୀ । ସରକାରଙ୍କ ତୃଟିପୂର୍ଣ୍ଣ ପରୀକ୍ଷା ପରିଚାଳନାକୁ ଦାୟୀ କରି ସେମାନେ ଆଉ ପରୀକ୍ଷା ଦେବାକୁ ମନ ବଳାଉ ନାହାନ୍ତି । ଶିକ୍ଷାବିତମାନେ ବି ଏପରି ସ୍ଥିତିରେ ସରକାରୀ ଅପାରଗତାକୁ ଦାୟୀ କରିଛନ୍ତି ।
ସ୍ବଚ୍ଛତା ସହ ପରୀକ୍ଷା କରି ଯୁବକଙ୍କୁ ଚାକିରି ଦେବାର ପ୍ରତିଶୃତି ଦେଇ ସରକାରକୁ ଆସିଛି ବିଜେପି । ହେଲେ ଏ କ୍ଷେତ୍ରରେ ସରକାର ଫେଲ ମାରିଥିବା ବିଜେଡି ଅଭିଯୋଗ କରିଛି । ଏହାକୁ ସରକାର ଓ ପ୍ରଶାସନିକ ଅପରାଗତାର ନାଁ ଦେଇଛି ବିଜେଡି । ପରୀକ୍ଷାକୁ ନେଇ ରାଜନୈତିକ ନିଷ୍ପତ୍ତି ନିଆଯାଉଥିବା ନେଇ କଂଗ୍ରେସ ଯୁକ୍ତି ବାଢିଛି । ସରକାରଙ୍କ ଅଭିଜ୍ଞତା ଅଭାବର ଫାଇଦା ଉଠାଇ ପ୍ରଶାସନିକ ଅଧିକାରୀ ମନଇଚ୍ଛା ନିଷ୍ପତ୍ତି ନେଉଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ ସରକାର କହିଛନ୍ତି, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଗାମୀ ଦିନରେ କିପରି ସ୍ବଚ୍ଛତା ସହ ପରୀକ୍ଷା ହେବ, ସେ ଦିଗରେ କାମ କରାଯିବ ।
ସରକାରୀ ଚାକିରି ପାଇଁ କେବଳ ବୟସ ସୀମା ବଢାଇ ଦେଇଛନ୍ତି ସରକାର । ସେପଟେ ବାରମ୍ବାର ପରୀକ୍ଷା ବାତିଲ ହୋଇଚାଲିଛି । ଏପରି ସ୍ଥିତିରେ ବର୍ଦ୍ଧିତ ବୟସ ବି ପଳେଇବ । ହେଲେ ଆଶାୟୀମାନେ ଆଶଂକାରେ ରହୁଥିବାରୁ, ସରକାରଙ୍କ ଉପରେ ଭରସା ଜୁଟାଇ ପାରୁ ନାହାନ୍ତି ।