ପୁଣି ବଢ଼ିପାରେ ତେଲ ଦର, ଆହୁରି ସଙ୍ଗୀନ ହେବ ଦରଦାମ ସ୍ଥିତି

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତେଲ ଦର । ତୈଳ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକ ଅର୍ନ୍ତଜାତୀୟ ବଜାରରେ କ୍ରୁଡ ଅଏଲର ବ୍ୟାରେଲ ଦର ଖସୁଥିବାରୁ ତେଲ ଉତ୍ପାଦନରେ ବଡ଼ ଧରଣର ହ୍ରାସ ପାଇଁ ନିଷ୍ପତି ନେଇଛନ୍ତି । ୫ ତାରିଖରେ ବସିଥିବା ଓପେକ୍ (ଅର୍ଗାନାଇଜେସନ ଅଫ୍ ପେଟ୍ରୋଲିୟମ ଏକ୍ସପୋର୍ଟିଙ୍ଗ କଣ୍ଟ୍ରିଜ)ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତି ହୋଇଛି । ତିନି ମାସ ମଧ୍ୟରେ ବ୍ୟାରେଲ ପିଛା କ୍ରୁଡ ଅଏଲ ୧୨୦ ଡଲାରରୁ ଖସି ୯୦ ଡଲାରରେ ପହଞ୍ଚିଛି । ଅନ୍ତର୍ଜାତୀୟ ଦର କମୁଥିବାରୁ ଉତ୍ପାଦନ ପରିମାଣ କମାଇବାକୁ ନିଷ୍ପତି ନେଇଛି । ଓପେକର ମୁଖ୍ୟାଳୟ ଭିଏନାଠାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏଭଳି ହେଲେ ଭାରତ ଭଳି ଦେଶରେ ତେଲ ଦର ପୁଣି ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଏବେ ଦେଶରେ ଦରଦାମ ବୃଦ୍ଧି ଏକ ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଛି । ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୭୫ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୬ ଟଙ୍କା ରହିଛି । ଅନ୍ତର୍ଜାତୀୟ ସ୍ତରରେ ତୈଳ ଉତ୍ପାଦନ ହ୍ରାସ ହେଲେ ତେଲ ଦର ପୁଣି ବଢିବ । ଏଭଳି ହେଲେ ଦରଦାମ ସ୍ଥିତି ଆହୁରି ସଙ୍ଗୀନ ହେବ ।