ଅପରେସନ୍ ଗଜରାଜ, ଦନ୍ତାକୁ ଉଦ୍ଧାର ପାଇଁ ୬ ଘଣ୍ଟା ହେଲା ଚାଲିଛି ଉଦ୍ୟମ

କଟକ: ମୁଣ୍ଡଳି ବ୍ୟାରେଜ୍ ନିକଟରେ ଫସି ରହିଥିବା ଦନ୍ତା ହାତୀକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ଅପରେସନ୍ ଗଜରାଜ ଚାଲିଛି । ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ହେଲା ଦନ୍ତାଟି ମୁଣ୍ଡଳି ବ୍ୟାରେଜରେ ପାଣିର ପ୍ରଖର ସ୍ରୋତରେ ଫସି ରହିଛି ।

Operation Elephant In Cuttack Mundali

ପାଣି ଭିତରୁ ହାତୀକୁ ଉଦ୍ଧାର କରିବା ପାଇଁ ଲାଗିଛନ୍ତି ବନ ବିଭାଗର ୨୫ ଜଣ କର୍ମଚାରୀ । ସେହିପରି ଆଠଗଡ଼ ପୋଲିସର ୧ ପ୍ଲାଟୁନ, ଅଗ୍ନିଶମ ବାହିନୀର ୨୨ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ପାଣିର ସ୍ରୋତ ଓ ଲୋକଙ୍କ ଗହଳି ଯୋଗୁଁ ଦନ୍ତା ହାତୀକୁ ଉଦ୍ଧାର କରିବାରେ ସମସ୍ୟା ଉପୁଜିଛି । ପାଣିରେ ଫସିଥିବା ଅନ୍ୟ ୨ ହାତୀ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛନ୍ତି । ହାତୀକୁ ଉଦ୍ଧାର କରିବାକୁ ବିଶେଷଜ୍ଞ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

Operation Elephant In Cuttack Mundali

ଆଜି ସକାଳୁ ମହାନଦୀରେ ଭାସି ଯାଇଥିଲେ ହାତୀପଲ । ମହାନଦୀ ପାର ହେଉଥିବା ବେଳେ ହାତୀପଲରେ ଥିବା ୭ଟି ହାତୀ ଭାସିଯାଇଥିଲେ । ଗୋଟିଏ ଛୁଆ ହାତୀ ସହ ୩ଟି ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲେ । ଆଉ ୪ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିଲେ ।

Leave a Reply