କେରଳ ଅଭିଯାନ: ପ୍ରବାସୀ ଓଡ଼ିଆଙ୍କ ଘରବାହୁଡା ପ୍ଲାନ୍ କଣ ଥିଲା ?

ଭୁବନେଶ୍ୱର: ପ୍ରଥମ ଉପସାଗରୀୟ ଯୁଦ୍ଧ ବେଳେ କୁଏତରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ୧୯୯୦ ଦଶକରେ ଭାରତ ସରକାର କ’ଣ କରିଥିଲେ ତାହା ସମସ୍ତେ ଜାଣନ୍ତି । ସେହିଭଳି ୨୦୧୪ରେ ୟମନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ବଡ଼ ଧରଣର ମିଶନ ଆରମ୍ଭ କରିଥିଲେ ।

ଟ୍ରେନ୍,ବସରେ ଉଦ୍ଧାର

ଠିକ୍ ସେହିଭଳି ଗୋଟିଏ ନୁହେଁ ଏକାଧିକ ମିଶନକୁ ନେଇ ଏବେ ଓଡ଼ିଶା ସରକାର କାମ କରୁଛନ୍ତି । କରୋନା କାରଣରୁ ବିଭିନ୍ନ ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଗୁଜୁରାଟ,କେରଳ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇ ରାସ୍ତା ଫିଟାଉଛନ୍ତି ତେବେ ରାଜ୍ୟ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ପାଇଁ ଯୁଦ୍ଧସ୍ତରରେ ଉଦ୍ୟମ  କରୁଛି । ଯାହାର ଉଦାହରଣ ହେଉଛି,ଅପରେସନ ଶୁଭଯାତ୍ରା ।

ଅପରେସନ୍ ଶୁଭଯାତ୍ରା କଣ ?

କେରଳରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ କେରଳ ସରକାରଙ୍କ ସହ ଆଲୋଚନା ପରେ ପ୍ରସ୍ତୁତ ହୋଇଥିଲା ଉଦ୍ଧାର ବ୍ଲୁପ୍ରିଣ୍ଟ୍ । ଯାହାକୁ ଅପରେସନ୍ ଶୁଭଯାତ୍ରା ବୋଲି ନାମିତ କରାଯାଇଥିଲା । ଶନିବାର ଦିନ ଅପରେସନ ଶୁଭଯାତ୍ରା ସମ୍ଭନ୍ଧରେ ସୂଚନା ଦେଇଛନ୍ତି ଆଇଟି ବିଭାଗ ସଚିବ ମନୋଜ ମିଶ୍ର ।

ଅପରେସନ୍ ଶୁଭଯାତ୍ରା ଅନ୍ତର୍ଗତରେ ୧୧୪୦ ଜଣ ଓଡ଼ିଆଙ୍କୁ କେରଳରୁ ରେଳ ଯୋଗେ ଓଡ଼ିଶା ଅଣାଯାଉଛି । ଏହି ୧୧୪୦ ଜଣ ଯାତ୍ରୀଙ୍କୁ କିଭଳି ଭଲରେ ଭଲରେ ରାଜ୍ୟକୁ ଫେରିବେ ସେଥିଲାଗି ଓଡ଼ିଶା ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା କରାଯାଇଥିଲା । ଅପରେସନର ମୋଟୋ ଥିଲା ସମ୍ମାନ ଓ ସୁବିଧାର ପ୍ରବାସୀଙ୍କୁ ନିଜ ଜନ୍ମଭୂମିକୁ ଫେରାଇ ଆଣିବା । ଏଥିପାଇଁ ଓଡ଼ିଶା ସରକାର କେରଳ ସରକାରଙ୍କୁ ଯୋଗାଯୋଗ କରିଥିଲେ । ରାଜ୍ୟ ସରକାର କେରଳ ସରକାରଙ୍କ ପାଖରେ ଗୋଟିଏ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବ ଥିଲା ଯେ, ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆଙ୍କର କେରଳରେ କରୋନା ସ୍କ୍ରିନିଂ ହେବ । କେବଳ ଏତିକି ନୁହେଁ ଏହି ପ୍ରବାସୀଙ୍କ ଆତ୍ମସମ୍ମାନ ପ୍ରତି ଯେମିତି ଆଘାତ ନଲାଗେ ସେଥିପ୍ରତି ବିଶେଷ ଯତ୍ନବାନ ଥିଲେ ରାଜ୍ୟ ସରକାର । ଟ୍ରେନରେ ବସିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଖାଦ୍ୟ ଓ  ପାନୀୟ ଯୋଗାଇ ଦିଆଯାଇଥିଲା ।

ଟ୍ରେନରେ ଚଢିବା ପୂର୍ବରୁ ହିଁ କେରଳ ସରକାର ସମସ୍ତ ଯାତ୍ରୀଙ୍କ ନାଁ,ଗାଁ ଠିକଣା ସଂଗ୍ରହ କରିଥିଲେ । ଯାହାକୁ କେରଳ ସରକାର ଓଡ଼ିଶାକୁ ଦେଇଥିଲେ । ଏହି ସୂଚନା ଅନୁସାରେ କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ୨୩ ଜିଲ୍ଲାର ବାସିନ୍ଦା ଅଛନ୍ତି । ସର୍ବାଧିକ କନ୍ଧମାଳର ବାସିନ୍ଦା । ତା’ପରେ ଗଞ୍ଜାମ ପ୍ରବାସୀ ଏହି ଟ୍ରେନରେ ଓଡ଼ିଶା ଫେରୁଛନ୍ତି । ଏହି ସୂଚନା ଆଧାରରେ ଓଡ଼ିଶା ସରକାର ଟ୍ରେନକୁ ୨ଟି ସ୍ଥାନରେ ଅଟକାଇବା ପାଇଁ ନିଷ୍ପତି ନେଇଛନ୍ତି । ବ୍ରହ୍ମପୁର ପାଖର ଜଗନ୍ନାଥପୁର ଷ୍ଟେସନରେ ଟ୍ରେନ ପ୍ରଥମେ ଅଟକିବ । ଫଳରେ ସେଠାରୁ ଓହ୍ଲାଇ ଦକ୍ଷିଣ ଓଡ଼ିଶାର ବାସିନ୍ଦା ନିଜ ଜିଲ୍ଲା ସହଯୋଗରେ ନିଜ ଘରକୁ ଫେରି ପାରିବେ ।

ଅପରେସନ୍ ଶୁଭଯାତ୍ରାର ବ୍ଲୁପ୍ରିଣ୍ଟକୁ ଏବେ ରାଜ୍ୟ ସରକାର ଅନ୍ୟ ରାଜ୍ୟଙ୍କ ସହ ବାଣ୍ଟୁଛନ୍ତି । ଏହି ମଡେଲ ଆଧାରରେ ପ୍ରବାସୀଙ୍କୁ ସୁରକ୍ଷିତ ଓ ସମ୍ମାନର ସହ ଫେରାଇ ଅଣାଯାଇ ପାରିବ ବୋଲି ରାଜ୍ୟ ସରକାରଙ୍କ ଆଶା ।

 

Leave a Reply