ସଂସଦ ଭବନ ବାହାରେ ପୁଣି ବିରୋଧୀଙ୍କ ନାରାବାଜି

ନନ୍ଦିଘୋଷ ବ୍ୟୁରୋ: ସଂସଦ ଭବନ ବାହାରେ ପୁଣି ନାରାବାଜି। ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ କଂଗ୍ରେସ ସମେତ ଇଣ୍ଡିମେଣ୍ଟ ସାଂସଦ କରିଛନ୍ତି ପ୍ରତିବାଦ। ତୁରନ୍ତ ଏହି ଏସଆଇଆରକୁ ବାତିଲ ଲାଗି ଦାବି କରିଛନ୍ତି ସାଂସଦ। ପ୍ରତିବାଦରେ ସାମିଲ ହୋଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ଭୋଟ ହେଉଛି ନାଗରିକଙ୍କ ଅଧିକାର। ଏହି ଅଧିକାରକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ଭୋଟ ଅଧିକାର ଲାଗି ଲଢେଇ ଜାରି ରହିବ ବୋଲି କହିଛନ୍ତି ସାଂସଦ। ସଂସଦ ଅଧିବେଶନ ଆରମ୍ଭ ଦିନ ଠାରୁ ବିହାର ଏସଆଇଆର ପ୍ରସଙ୍ଗରେ ସାଂସଦମାନେ ଜାରି ରଖିଛନ୍ତି ବିକ୍ଷୋଭ। ବିହାରରେ ବହୁ ସଂଖ୍ୟକ ଭୋଟର ବାଦ୍ ପଡିବା ଆଶଙ୍କା ଥିବାରୁ ଏସଆଇଆର ବାତିଲ କରିବା ଲାଗି ଦାବି କରୁଛନ୍ତି ସାଂସଦ। ସଂସଦର ମକର ଦ୍ବାରରେ ଏକତ୍ରିତ ହୋଇ ସାଂସଦମାନେ କରିଛନ୍ତି ବିକ୍ଷୋଭ। ଏସଆଇଆର ଅର୍ଥ ସାଇଲେଣ୍ଟ ଇନଭିଜିବଲ ରିଗିଂ ଲେଖାଥିବା ବ୍ୟାନର ଦରି ପ୍ରତିବାଦ କରିଛନ୍ତି ବିରୋଧୀ। ଏହି ବିକ୍ଷୋଭରେ କଂଗ୍ରେସ, ଡିଏମକେ, ଟିଏମସି ଓ ବାମପନ୍ଥୀ ଦଳର ସାଂସଦମାନେ ସାମିଲ ହୋଇଥିଲେ।