spot_img

Latest Posts

ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା, ପ୍ରଧାନମନ୍ତ୍ରୀ ହେବା ଜୀବନର ଲକ୍ଷ୍ୟ ନୁହେଁ: ନୀତୀନ ଗଡ଼କରୀ

ନୂଆଦିଲ୍ଲୀ: ଦିନେ ମୋତେ ପ୍ରଧାନମନ୍ତ୍ରୀ ପଦ ଯଚାଯାଇଥିଲା। ମାତ୍ର ଏହି ପ୍ରସ୍ତାବକୁ ମୁଁ ଅଗ୍ରାହ୍ଯ କରିଥିଲି। ଏହା କହିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ। ବିଭିନ୍ନ ପ୍ରସଙ୍ଗରେ ହାଲୁକା ଟିପ୍ପଣୀ ଦେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଗଡକରୀଙ୍କ ଏହି ବୟାନ ରାଜନୈତିକ ସ୍ତରରେ ଚର୍ଚ୍ଚାର କାରଣ ସାଜିଛି। ନାଗପୁରରେ ଆୟୋଜିତ ଏକ ସଭାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡ଼କରୀ କହିଛନ୍ତି- ତାଙ୍କର ଏବେ ଗୋଟିଏ କଥା ସ୍ମରଣକୁ ଆସୁଛି। ସେ କାହାର ନାମ ନେବାକୁ ଚାହାଁନ୍ତି ନାହିଁ। ସେ ଯଦି ପ୍ରଧାନମନ୍ତ୍ରୀ ହେବାକୁ ଚାହିଁବେ ତେବେ ତାଙ୍କୁ ସମର୍ଥନ ଦିଆଯିବ ବୋଲି ଜଣେ ନେତା କହିଥିଲେ। ତେବେ ତାଙ୍କ ଜୀବନର ଲକ୍ଷ୍ଯ ଜଣେ ପ୍ରଧାନମନ୍ତ୍ରୀ ହେବା ନୁହେଁ ବୋଲି କହିଥିଲେ ଗଡକରୀ।

ସେ ଆହୁରି କହିଛନ୍ତି, ସେହି ନେତାଜଣକ ତାଙ୍କୁ ଏହି ପ୍ରସ୍ତାବ ଦେବା ପରେ ସେ କହିଥିଲେ ଯେ,କାହିଁକି ମୋତେ ଆପଣମାନେ ସମର୍ଥନ କରିବେ ଏବଂ କାହିଁକି ମୁଁ ଆପଣଙ୍କ ପ୍ରସ୍ତାବ ଗ୍ରହଣ କରିବି। ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ଯ ନୁହେଁ। ମୋର ସଂଗଠନ ଓ ମୋର ତ୍ୟାଗ ପ୍ରତି ମୁଁ ଅଙ୍ଗୀକୃତ। ଉଭୟ ୨୦୧୯ ଓ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀତ୍ବ କ୍ଷେତ୍ରରେ ନୀତୀନ ଗଡ଼କରୀଙ୍କ ନାମ ଚର୍ଚ୍ଚାରେ ଥିଲା। ଗତ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ପରେ ଯେଉଁମାନଙ୍କ ନାମ ପିଏମ ଦୌଡ଼ରେ ଥିଲା ସେମାନେ ହେଲେ ଅମିତ ଶାହ, ଯୋଗୀ ଆଦିତ୍ଯନାଥ ଓ ନୀତୀନ ଗଡ଼କରୀ।

ମହାରାଷ୍ଟ୍ର ନାଗପୁରରୁ ଗଡକରୀ ୩ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଭାବେ ସେ ସର୍ବାଧିକ କାଳ ଦାୟିତ୍ବରେ ରହିଛନ୍ତି। ୨୦୦୯ରୁ ୨୦୧୩ ଯାଏ ସେ ଥିଲେ ବିଜେପିର ଜାତୀୟ ସଭାପତି।

Latest Posts

Don't Miss